ଭୁବନେଶ୍ୱର : ଓଡ଼ିଆ ଭାଷା ସମ୍ମିଳନୀରେ ବିଶିଷ୍ଟ ନାଟ୍ୟକାର ସଚ୍ଚି ଦାସ ସମ୍ମାନିତ।। କଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ।
ଭୁବନେଶ୍ୱର : ୫/୨ (ସତ୍ୟାନ୍ୟୁଜ) ପ୍ରଥମ ବିଶ୍ବ #ଓଡ଼ିଆଭାଷାସମ୍ମିଳନୀରେ ଓଡ଼ିଆ ଭାଷା , କଳା , ସଂସ୍କୃତି ପ୍ରତି ବିଶେଷ ଅବଦାନ ଥିବା ଭାଷାବିତ ମାନଙ୍କ ସହ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଉଛି। ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ସମ୍ମିଳନୀର ଦୂତୀୟ ଦିନରେ ଓଡିଶା ନାଟ୍ୟ ମଞ୍ଚର ଅପ୍ରତିଦ୍ବନ୍ଦୀ ଅଭିନେତା ଓ ନିର୍ଦ୍ଦେଶକ ସଚ୍ଚି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମାନପତ୍ର ଏବଂ ଶାଲ ଦେଇ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅର୍ଦ୍ଧସହସ୍ର ମଞ୍ଚ ନାଟକ ଓ ଚାରିଶହରୁ ଅଧିକ ଯାତ୍ରା ନାଟକରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ୧୯୫୮ ମସିହାରେ ଜନତା ରଙ୍ଗମଞ୍ଚ ସହ ସେ ସମ୍ପୃକ୍ତ ହୋଇଥିଲେ। ପରେ ‘ଏବଂ ଆମେ’ ନାଟ୍ୟ ଅନୁଷ୍ଠାନର ପ୍ରତିଷ୍ଠା କରିଥିଲେ। ଓଡ଼ିଆ ଚଳଚିତ୍ର ‘ତଅପୋଇ , ମେଘମୁକ୍ତି , ଅଗ୍ନି ପରୀକ୍ଷା , ଏ ନୁହେଁ କାହାଣୀର ସେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଯାତ୍ରା ନାଟକ ‘ ଶାଗୁଣା ବସିଛି ଡେଣା ମେଲାଇ’ ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ କରିଛି। ନାଟ୍ୟ କଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ତାଙ୍କୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ ସଚ୍ଚି ଦାସଙ୍କ ଜନ୍ମ ସ୍ଥାନ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ସେ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନାଟ୍ୟ ବିଚାରକ ଭାବେ ମଧ୍ୟ ବହୁବାର ଯୋଗ ଦେଇଥିଲେ। ପରିଣତ ବୟସରେ ଏବେବି ସେ କଳା ପ୍ରତି ସମର୍ପିତ ଅଛନ୍ତି।