ରାଉରକେଲା : ୧/୨ (ସତ୍ୟାନ୍ୟୁଜ) ଶୁଆ ଘରେ ରଖିବାକୁ ସମସ୍ତେ ଭଲ ପାଆନ୍ତି। ପୂର୍ବରୁ ଘରେ ଘରେ ଲୋକେ ଶୁଆ ରଖୁଥିଲେ। ଶୁଆ କଥା ମଧ୍ୟ କହିଥାଏ। ଏବେ କିନ୍ତୁ ଘରେ ଶୁଆ ରଖିଲେ କିମ୍ବା କେହି ଶୁଆ , ସାରି ସହ ଅନ୍ୟ ବନ୍ୟ ପକ୍ଷୀ କିଣା ବିକା କଲେ ଏହା ଏକ ଧର୍ତ୍ତବ୍ୟ ଅପରାଧରେ ଗଣା ଯାଉଛି। ବନ୍ୟ ଜନ୍ତୁ ସୁରକ୍ଷା ଆଇନ ଅନୁସାରେ ଦଣ୍ଡ ବିଧାନ ର ମଧ୍ୟ ବ୍ୟବସ୍ଥା ରହିଛି। ଏବେ ରାଉରକେଲା ବନ ବିଭାଗ ପକ୍ଷରୁ ବେଆଇନ ଶୁଆ ବ୍ୟବସାୟ କରୁଥିବା ରାକେଟ ଉପରେ ଚଢ଼ାଉ କରାଯାଉଛି। ଗତକାଲି ବନବିଭାଗ ପକ୍ଷରୁ ଲାଠିକଟା ଥାନା ଅନ୍ତର୍ଗତ ନୂଆଗାଁରେ ଚଢ଼ାଉ କରାଯାଇ ୪୦ ଟି ଶୁଆ ଶାବକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ୨୩ ତାରିଖରେ ମଧ୍ୟ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୨ଟି ଶୁଆ ଉଦ୍ଧାର କରା ଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରା ଯାଇଥିଲା। ବନ୍ୟ ପକ୍ଷୀ କିମ୍ବା ଜନ୍ତୁଙ୍କୁ ଘରେ ନରଖି ଜଙ୍ଗଲରେ ରହିବାକୁ ଦେଲେ ଇକୋ ସିଷ୍ଟମ ବଜାୟ ରହିବ ବୋଲି ଡିଏଫଓ ଜସବନ୍ତ ସେଠୀ କହିଛନ୍ତି।