ରାଉରକେଲା : ମୌର୍ଯ୍ୟ ଏକ୍ସପ୍ରେସ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ।। ରାଉରକେଲା , ଝାରସୁଗୁଡା , ସମ୍ବଲପୁର ଷ୍ଟେସନରେ ରହଣି।
ରାଉରକେଲା : ୩୧/୧ (ସତ୍ୟାନ୍ୟୁଜ) ରାଉରକେଲା ସମେତ ପଶ୍ଚିମଓଡ଼ିଶା ଲୋକଙ୍କ ସୁବିଧା ନିମନ୍ତେ ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରେନର ଏଣିକି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣୀ ରହିବ। ତେବେ ରାଜଗାଙ୍ଗପୁର ଷ୍ଟେସନରେ ଏହି ଟ୍ରେନର ରହଣି ପାଇଁ ଦାବି ଉଠିଲାଣି।
ରେଳବାଇ ବିଭାଗର ସୂଚନା ଅନୁସାରେ, ୧୫୦୨୮ ଗୋରଖପୁର-ହାତିଆ ମୌର୍ଯ୍ୟ ଏକ୍ସପ୍ରେସ ଦିନ ୧.୫୦ମିନିଟରେ ସମ୍ବଲପୁର ରେଳ ଷ୍ଟେସନରେ ପହଞ୍ଚିବ। ସେହିପରି ୧୫୦୨୭ ହାତିଆ -ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ୍ ସମ୍ବଲପୁର ଷ୍ଟେସନରୁ ସକାଳ ୯ଟା ୩୫ମିନିଟରେ ଛାଡ଼ିବ । ଏହି ଟ୍ରେନ ସମ୍ପ୍ରସାରଣ ଦ୍ୱାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଯାତ୍ରୀମାନେ ଅଧିକ ଭାବେ ଉପକୃତ ହେବେ। ମୌର୍ଯ୍ୟ ଏକ୍ସପ୍ରେସର ସମ୍ପ୍ରସାରଣ ପାଇଁ ରାଉରକେଲା ବାସୀ ସାଂସଦ ଜୁଏଲ ଓରାମଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଥିଲେ।
ଅନ୍ୟପକ୍ଷରେ ଏହି ଟ୍ରେନକୁ ସମ୍ପ୍ରସାରଣ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୦୨୨ ଡିସେମ୍ବର ୯ ଓ ୨୦୨୪ ଜାନୁୟାରୀ ୩ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହି ଟ୍ରେନ ଚଳାଚଳ ଦ୍ୱାରା ପଶ୍ଚିମଓଡ଼ିଶାରେ ରହୁଥିବା ପୂର୍ବ ଉତ୍ତରପ୍ରଦେଶ ଓ ବିହାରର ପ୍ରାୟ ୫ ଲକ୍ଷ ଲୋକ ବିଶେଷ ଉପକୃତ ହେବେ । ବିଶେଷକରି ଏହି ଦୁଇ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କେବଳ ସମ୍ବଲପୁରରେ ରହୁଥିବା ବେଳେ ରାଉରକେଲାରେ ୧ ଲକ୍ଷ ପାଖାପାଖି ଲୋକ ରହୁଛନ୍ତି।