କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କଲେ ସୁନ୍ଦରଗଡ ଜିଲ୍ଲାପାଳ।। ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା ସହ ଟୀକାକରଣ ଉପରେ ଗୁରୁତ୍ବ।

0 346

କୋଭିଡ୍ ମହାମାରୀର ନୂଆ ଭାରିଏଣ୍ଟକୁ ନେଇ ସରକାର ସତର୍କତା ଜାରି କରିଛନ୍ତି। ଏହି କ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ କୋଭିଡ୍ ଉପଯୋଗୀ ଆଚରଣ ଠିକ୍ ଭାବେ ପାଳନ କରିବା ଲାଗି ଅନୁରୋଧ କରିଛନ୍ତି। ଜନସାଧାରଣ ସତର୍କ ଏବଂ ସଚେତନ ରହିଲେ ହିଁ ସମ୍ଭାବ୍ୟ ତୃତୀୟ ଲହରକୁ ଆମେ ମୁକାବିଲା କରିପାରିବା ବୋଲି

ଜିଲ୍ଲାପାଳ କହିଛନ୍ତି।

‘‘ଜନସାଧାରଣଙ୍କ ସହଯୋଗରେ ଆମେ କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିପାରିଛୁ। ଏବେ ନୂଆ ଭାରିଏଣ୍ଟ ଏବଂ ସମ୍ଭାବ୍ୟ ତୃତୀୟ ଲହର ଲାଗି ଆମକୁ ପୁଣି ସତର୍କ ହେବାକୁ ପଡ଼ିବ। ଭଲଭାବେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମ ପାଳନ କରିବାକୁ ହେବ। ଜରୁରୀ କାମ ନଥିଲେ ଅଯଥାରେ କେହି ବାହାରକୁ ଆସନ୍ତୁ ନାହିଁ। ରାଜ୍ୟ ସରକାର ଯେଉଁ ଗାଇଡଲାଇନ୍ ଜାରି କରୁଛନ୍ତି ସମସ୍ତେ ତାହା ଠିକରେ ପାଳନ କରନ୍ତୁ’’, ଏହି ଅପିଲ୍ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସେ ଆହୁରି କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟର ସୀମା ଲାଗିଛି। ପଡ଼ୋଶୀ ରାଜ୍ୟରୁ ଲୋକେ ବିଭିନ୍ନ କାମରେ ସୁନ୍ଦରଗଡ଼କୁ ଆସୁଛନ୍ତି। ତେଣୁ ସେମାନେ ଯେପରି କୋଭିଡ୍ ନିୟମ ଠିକ୍ ଭାବେ ପାଳନ କରିବେ ସେଥିଲାଗି ପ୍ରଶାସନ ସୀମାନ୍ତବର୍ତ୍ତି ଅଞ୍ଚଳରେ ନଜର ରଖିଛି।

କୋଭିଡ୍ ଟିକାକରଣ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସଫଳତା ପାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସୁନ୍ଦରଗଡ଼ବାସୀଙ୍କ ସହଯୋଗରେ ଆମ ଜିଲ୍ଲାରେ ପ୍ରାୟ ୯୦ ପ୍ରତିଶତ ଟିକାକରଣ ହୋଇପାରିଛି। ଯେଉଁ ଅଳ୍ପ କିଛି ଲୋକ ଟିକା ନେଇପାରି ନାହାନ୍ତି ସେମାନେ ତୁରନ୍ତ ସ୍ଲଟ୍ ବୁକ୍ କରି ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ୧୮ ବର୍ଷରୁ କମ୍ ଯୁବକ ଯୁବତୀ, ଛାତ୍ରଛାତ୍ରୀମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ନଥିବାରୁ ସେମାନଙ୍କ ଲାଗି କୋଭିଡ୍ ଉପଯୋଗୀ ଅଚରଣ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଏବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ। କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଭିଡ୍ ଟେଷ୍ଟିଂଠାରୁ ଆରମ୍ଭ କରି ହସ୍ପିଟାଲରେ ଆବଶ୍ୟକ ବେଡ୍ ଏବଂ ଅକ୍ସିଜେନ୍ ଆଦି ମହଜୁଦ୍ ରହିଛି। ଶିଶୁମାନଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା କରାଯାଉଛି। ଟିକାକରଣକୁ ଆହୁରି ବ୍ୟାପକ କରିବା ଲାଗି ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.