ସଡକ ଦୁର୍ଘଟଣାରେ ଶିକାର ଲୋକଙ୍କୁ ତୁରନ୍ତ ଚିକିତ୍ସା ଲାଗି ପ୍ରଶିକ୍ଷଣ।। “ରକ୍ଷକ” କାର୍ଯ୍ୟକ୍ରମ ଜରିଆରେ ଟ୍ରେନିଂ ନେଲେ ୪୦ ଜଣ।
ଏବେ ସଡକ ସୁରକ୍ଷା ଉପରେ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ। ଦିନ କୁ ଦିନ ଗାଡି ମଟର ସଂଖ୍ୟା ବଢିଚାଲିଛି। ସେହି ଅନୁପାତରେ ମଧ୍ୟ ଦୁର୍ଘଟଣାର ହାର ମଧ୍ୟ ବଢୁଛି । ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଲାଗି ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ସେହି ସମୟରେ ଆହତଙ୍କୁ ଚିକିତ୍ସା ଦିଆଯାଇ ପାରିଲେ ଜୀବନ ରକ୍ଷା ହୋଇପାରିବ। ଏହି ପ୍ରକ୍ରିୟା କୁ କାର୍ଯ୍ୟକାରୀ କରିବାକୁ ରାଉରକେଲା ପରିବହନ ବିଭାଗ ପକ୍ଷରୁ ଉଦିତନଗର ରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ରାଉରକେଲା ଦେଇ ୧୪୩ ନମ୍ବର ଜାତୀୟ ରାଜପଥ ଏବଂ ୧୦ ନମ୍ବର ରାଜ୍ୟ ରାଜପଥ ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୪୩ ନମ୍ବର ଜାତୀୟ ରାଜପଥ ର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଦେଓଗାଁ ଏବଂ ଯଲଦା ରାଜପଥ ରେ ଥିବା ଦୋକାନୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ କିପରି ତୁରନ୍ତ ଚିକିତ୍ସା ଦିଆଯାଇପାରିବ ସେ ବାବଦରେ ସଚେତନ କରାଯାଇଥିଲା
“ରକ୍ଷକ” କାର୍ଯ୍ୟକ୍ରମ ଜରିଆ ରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରଶିକ୍ଷଣ ଏକ ନୂତନ ପ୍ରୟାସ । ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ଏସପି ମୁକେଶ କୁମାର ଭାମୁ , ଆର ଟି ଓ ବିଶ୍ୱରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ। ବେସାମରିକ ପ୍ରତିରକ୍ଷା ବାହିନୀ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିଲା।

