ସୁନ୍ଦରଗଡ଼ ରେ ଜିଲ୍ଲା ସ୍ତରୀୟ ପୁରୁଷ ଏବଂ ମହିଳା ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ଗ୍ରାମାଞ୍ଚଳରୁ ହକି ପ୍ରତିଭା ଖୋଜିବା ଲକ୍ଷ।

0 721

ହକିର ଅନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ କ୍ରୀଡ଼ା ପ୍ରତିଭା ଲୁଚି ରହିଛନ୍ତି। ତୃଣମୂଳ ସ୍ତରର ସେହି ହକି ପ୍ରତିଭାମାନଙ୍କର ଅନ୍ୱେଷଣ ପାଇଁ ଜିଲ୍ଲା ହକି ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଭବାନୀପୁର ସ୍ପୋର୍ଟ୍‌ସ କମ୍ପେ୍ଲକ୍ସଠାରେ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଓ ମହିଳା ହକି ଟୁର୍ନାମେଣ୍ଟ ଆୟୋଜିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଶନିବାର ଏହି ଟୁର୍ନାମେଣ୍ଟର ଉଦ୍‌ଘାଟନ କରି ଏଥିରେ ଭାଗ ନେଇଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

“ଜିଲ୍ଲା ପ୍ରଶାସନ ସବୁବେଳେ ପ୍ରତିଭାମାନଙ୍କୁ ସୁଯୋଗ ଦେଇ ଆସିଛି। ତୃଣମୂଳ ସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବା, ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେମାନଙ୍କର କ୍ରୀଡ଼ା ପ୍ରତିଭାର ବିକାଶ ଲାଗି ପ୍ରଶାସନ ସବୁବେଳେ ପ୍ରୟାସ କରିଆସୁଛି। ଗ୍ରାମାଞ୍ଚଳର ଖେଳାଳିମାନେ ଏହାର ସୁଯୋଗ ନେଇ ନିଜ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରନ୍ତୁ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ସୁନାମ ଆଣନ୍ତୁ”, ଉଦ୍‌ଘାଟନୀ ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଏହା କହିଛନ୍ତି।

ପୂର୍ବରୁ ପଞ୍ଚାୟତଗୁଡ଼ିକୁ ନେଇ ବ୍ଲକସ୍ତରୀୟ ଏବଂ ବ୍ଲକ୍‌ଗୁଡ଼ିକୁ ନେଇ ଉପଖଣ୍ଡସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଠାରୁ ଚୟନ କରାଯାଇଥିବା ଶ୍ରେଷ୍ଠ ଦଳଗୁଡ଼ିକୁ ନେଇ ଶନିବାର ଜିଲ୍ଲାସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ସିନିୟର ପୁରୁଷ ଓ ମହିଳା ବର୍ଗରେ ସୁନ୍ଦରଗଡ଼, ବଣାଇଁ ଓ ପାନପୋଷ ଉପଖଣ୍ଡରୁ ମୋଟ ୮ଟି ବ୍ଲକସ୍ତରୀୟ ଟିମ୍ ସାମିଲ ହୋଇଛନ୍ତି।

ଆଜି ପୁରୁଷ ବର୍ଗରେ ସବ୍‌ଡେଗା ଓ ଲହୁଣୀପଡ଼ାକୁ ନେଇ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ମହିଳା ବର୍ଗରେ ଲେଫ୍ରିପଡ଼ା ଓ କୁଆରମୁଣ୍ଡାକୁ ନେଇ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଦୁଇଟି ଯାକ ମ୍ୟାଚ ଟାଇରେ ଶେଷ ହୋଇଥିବା ବେଳେ ପେନାଲ୍‌ଟି ଶୁଟ୍ ଜରିଆରେ ପୁରୁଷ ବର୍ଗରେ ସବ୍‌ଡେଗା ଏବଂ ମହିଳା ବର୍ଗରେ କୁଆରମୁଣ୍ଡା ଦଳ ବିଜୟୀ ହୋଇଛି।

ସେହିପରି ଦ୍ୱିତୀୟ ମ୍ୟାଚରେ ପୁରୁଷ ବର୍ଗରେ ନୂଆଗାଁ ଓ କୁତ୍ରା ବ୍ଲକ ଏବଂ ମହିଳା ବର୍ଗରେ ନୂଆଗାଁ ଓ କୁତ୍ରା ବ୍ଲକ୍ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ କୁତ୍ରା ବ୍ଲକ୍ ବିଜୟୀ ହୋଇଥିଲା।

ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାମ୍ପିୟନ ଦଳ ପାଇଁ ୨୫ ହଜାର ଟଙ୍କା, ରନର୍ସଅପ୍ ଦଳ ପାଇଁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ରହିଛି। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଯଥାକ୍ରମେ ୧୦ ହଜାର ଓ ୫ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି।

ଶନିବାର ଆୟୋଜିତ ଉଦ୍‌ଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ୍ କୁମାର କେର୍କେଟା, ଜିଲ୍ଲା ହକି ଆସୋସିଏସନର ସାଧାରଣ ସମ୍ପାଦକ ସିଲ୍‌ଭେଷ୍ଟର ତିର୍କୀ, ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ୍ କୁମାର ଖେସ୍ ଏବଂ ମିଲଟନ୍ ବିଲୁଙ୍ଗ୍ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ଅଧ୍ୟକ୍ଷ ରାମେଶ୍ୱର ଟପ୍ପୋ ସୂଚନା ଦେଇ କହିଥିଲେ ଯେ, ଏହି ପ୍ରତିଯୋଗିତାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୫ ଜଣ ଲେଖାଏଁ ଖେଳାଳି ଏବଂ ଜୋନାଲ୍ ତଥା ବ୍ଲକ ସ୍ତରରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ୧୫ ଜଣ ଲେଖାଏଁ କରି ମୋଟ ୧୦୦ ଜଣ ଖେଳାଳିଙ୍କୁ ନେଇ ଗୋଟିଏ ୧୫ ଦିନିଆ କ୍ୟାମ୍ପ ଅନୁଷ୍ଠିତ ହେବ। ଏହି କ୍ୟାମ୍ପ ମାଧ୍ୟମରେ ଦକ୍ଷ ଖେଳାଳିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇ ଗୋଟିଏ ସିନିୟର ଦଳ ଗଠନ କରାଯିବ। ଆଗକୁ ଖେଳାଯିବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲା ପକ୍ଷରୁ ଏହି ଦଳ ପ୍ରତିନିଧିତ୍ୱ କରିବ।

Leave A Reply

Your email address will not be published.