ରାଉରକେଲା ହେବ ଦେଶର କ୍ରୀଡା ହବ।। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଲୋକାର୍ପଣ ଖୁବଶୀଘ୍ର : କ୍ରୀଡ଼ାମନ୍ତ୍ରୀ

0 425

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା। ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀଯୁକ୍ତ ଆର୍ ଭିନିଲ କ୍ରିଷ୍ଣା ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସ୍ଥାନ ପରିଦର୍ଶନ କରିବା ପରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କୋଭିଡ୍ ପାଇଁ ଏହି ନିର୍ମାଣ କାର୍ଯ୍ୟ କିଛିଟା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ନିର୍ଦ୍ଧାରିତ ସ୍ତରରେ ପହଞ୍ଚିଛି। ୨୦୨୨ ଜୁଲାଇ ସୁଦ୍ଧା ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।

୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି । ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଦେଶ ତଥା ଦେଶ ବାହାରୁ ବହୁ ଖେଳାଳି, ଅଫିସିଆଲ ଏବଂ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିମାନେ ଏଠାକୁ ଆସିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗରର ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସୗନ୍ଦର୍ଯ୍ୟକରଣ କରାଯାଉଛି। ଏହିସବୁ କାର୍ଯ୍ୟର ଅଗ୍ରଗତି ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିକୁ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

ଏହି ଗସ୍ତ ବେଳେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଖେଳାଳିମାନଙ୍କ ପାଇଁ ଏଠାରେ କରାଯାଉଥିବା ଆଧୁନିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ମାନର ତିନୋଟି ଇନଡୋର ବ୍ୟାଡମିଣ୍ଟନ କୋର୍ଟ କରାଯାଉଛି। ସେହିପରି ଆଉଟଡୋରରେ ଲନ୍ ଟେନିସ୍ କୋର୍ଟ ନିର୍ମାଣ କରାଯାଉଛି। ଫିଟନେସ ପାଇଁ ଏଠାରେ ଏକ ଅତ୍ୟାଧୁନିକ ଜିମ୍ନାସିୟମ୍ ମଧ୍ୟ କରାଯାଉଛି। ଏହି ଇନଡୋର ଷ୍ଟାଡିୟମକୁ ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ବୋଲି କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଥିଲେ।

ଏହି ସବୁ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତି ହେଲେ ରାଉରକେଲା ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପରିଚିତ ହେବ। ଏଠାରେ ଆଗାମୀ ଦିନରେ ହକି ସହିତ ଫୁଟବଲ, ବ୍ୟାଡମିଣ୍ଟନ, ଲନଟେନିସ୍ ଏବଂ ବିଭିନ୍ନ ପ୍ରକାରର ଆଥଲେଟିକ୍ ଗେମ୍ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ। ଏହା ସ୍ଥାନୀୟ ଖେଳାଳିମାନଙ୍କ ଅଭ୍ୟାସ ଏବଂ ଦକ୍ଷତା ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୋଇପାରିବ।

ଏହି ଗସ୍ତ ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.