ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ ତାଲିକା ରେ ଇଣ୍ଡିଆ ଶକ୍ତିଶାଳୀ ମହିଳା ଭାବେ ସ୍ଥାନ ପାଇଛନ୍ତି । ଆଗଧାଡ଼ିର କୋଭିଡ ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲା ରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମାତିଲଦା କୁଲୁ। ୧୫ ବର୍ଷ ଧରି ଜିଲ୍ଲାର ବଡ଼ଗାଁ ତହସିଲ ଅନ୍ତର୍ଗତ ଗରଗଡ଼ବାହାଲ ଗ୍ରାମରେ ସେ ଆଶାକର୍ମୀ ଭାବେ କାମ କରି ଆସୁଛନ୍ତି
। ଏହି ୪୫ ବର୍ଷୀୟା ମହିଳା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା କାମରେ ଲାଗିଛନ୍ତି । ଏହାସହ ଲୋକଙ୍କ ମନରୁ ଗୁଣିଗାରେଡି ଅନ୍ଧବିଶ୍ୱାସ , ଜାତିବାଦ ପରି ଘୃଣ୍ୟ ପ୍ରଥାକୁ ଦୁର କରିବାରେ ମଧ୍ୟ ନିଜ ଉଦ୍ୟମ ଜାରି ରଖିଛନ୍ତି । ମାତିଲଦାଙ୍କ ଦିନଚର୍ଯ୍ୟା ଭୋର ପଞ୍ଚଟାରୁ ଆରମ୍ଭ ହୋଇଥାଏ। ଘରର ଚାରିଜଣ ସଦସ୍ୟଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ଗାଈଗୋରୁଙ୍କ ସେବା କରି ବହାରିଯାନ୍ତି ମାନବ ସେବାରେ । କୋଭିଡ-୧୯ ଆରମ୍ଭରୁ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରି ଆସୁଥିବା ମାତିଲଦା ଦେଶର ଶକ୍ତିଶାଳୀ ମହିଳା ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇ ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଗୌରବ ଆଣିଛନ୍ତି ।

