ସୁନ୍ଦରଗଡ ରେ ୬୯ ତମ ରାଜ୍ୟସ୍ତରୀୟ ସିନିଅର ମହିଳା ଏବଂ ପୁରୁଷ କବାଡି ଚମ୍ପିୟାନଶିପ ଉଦଘାଟିତ।

0 320

ସ୍ଥାନୀୟ ମାଦ୍ରି କାଲୋ ଭବନ ପଡ଼ିଆରେ ୬୯ତମ ରାଜ୍ୟସ୍ତରୀୟ ସିନିୟର ପୁରୁଷ ଓ ମହିଳା କବାଡ଼ି ଚାମ୍ପିୟନସିପ୍ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ୩ ଦିନିଆ କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ କରିଛନ୍ତି।

ଜିଲ୍ଲାରେ ପ୍ରଥମଥର ପାଇଁ ମ୍ୟାଟ୍‌ରେ ଖେଳାଯାଉଥିବା ଏହି ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ଖେଳାଳି ଭାଗ ନେଉଛନ୍ତି। ଏଥିରେ ୨୮ଟି ପୁରୁଷ ଦଳ ଓ ୨୬ଟି ମହିଳା ଦଳ ସାମିଲ ହୋଇଛନ୍ତି । ଖେଳ ପରିଚାଳନା ପାଇଁ ୭୨ ଜଣ ରେଫ୍‌ରିଙ୍କୁ ନିୟୋଜିତ କରାଯାଇଛି।

“ସମସ୍ତଙ୍କ ଚେଷ୍ଟାରେ ସୁନ୍ଦରଗଡ଼ ଜିଲ୍ଲା ଏଭଳି ଏକ ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରିପାରିଛି। ରାଜ୍ୟରୁ ସବୁ ଜିଲ୍ଲାରୁ ଖେଳାଳିମାନେ ଏଥିରେ ଭାଗ ନେଉଛନ୍ତି। ସେମାନେ ଭଲ ପ୍ରଦର୍ଶନ କରନ୍ତୁ। ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଏହିଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ଜାତୀୟସ୍ତରର ଟୁର୍ନାମେଣ୍ଟର ଭାଗ ନେବେ। ସୁନ୍ଦରଗଡ଼ ମାଟିରେ ଏଭଳି ଏକ କ୍ରୀଡ଼ା ମାହୋଲରେ ସମସ୍ତ ଖେଳାଳିମାନଙ୍କୁ ପ୍ରଚୁର ଉତ୍ସାହ ମିଳିବ”, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଟୁର୍ନାମେଣ୍ଟର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସେ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଖେଳାଳିମାନଙ୍କୁ ଶପଥପାଠ କରାଇଥିଲେ। ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ଜିଲ୍ଲାପାଳ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରିବା ସହ ଭଲ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଉଦ୍‌ଘାଟନୀ ମଞ୍ଚରେ ସୁନ୍ଦରଗଡ଼ସ୍ଥିତ ଭବାନୀ ଶଙ୍କର ହାଇସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉଦ୍‌ଘାଟନ ପୂର୍ବରୁ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ଖେଳାଳିମାନେ ସହର ପରିକ୍ରମା କରିଥିଲେ।

ଉଦ୍‌ଘାଟନୀ ଦିବସରେ ପ୍ରଥମେ ମହିଳା ବର୍ଗରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଏବଂ ପୁରୁଷ ବର୍ଗରେ ସୁନ୍ଦରଗଡ଼ ଓ ନୟାଗଡ଼ ଦଳ ମଧ୍ୟରେ ମ୍ୟାଚ୍ ଆୟୋଜିତ ହୋଇଥିଲା। ନଭେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ମୋଟ ୮୫ଟି ମ୍ୟାଚ୍ ଖେଳାଯିବ। ଏଠାରୁ ମନୋନୀତ ଶ୍ରେଷ୍ଠ ଦଳ ଜାନୁୟାରୀରେ ମହାରାଷ୍ଟ୍ରରେ ହେବାକୁ ଥିବା ଜାତୀୟସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେବେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ପ୍ରଭାତ ଭୋଳ, ଓଡ଼ିଶା କବାଡ଼ି ଆସୋସିଏସନ ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା, ଉପସଭାପତି ପୃଥ୍ୱୀରାଜ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ଆସୋସିଏସନ୍‌ର ରେଫ୍‌ରି ବୋର୍ଡ ସଭାପତି ପଦ୍ମଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.