ସ୍ୱଚ୍ଛ ସର୍ବେକ୍ଷଣରେ ରାଉରକେଲାକୁ ମିଳିଲା ‘ୱନ ଷ୍ଟାର’ ମାନ୍ୟତା।। ସହରବାସୀଙ୍କୁ ଧନ୍ୟବାଦ ଜଣାଇଲେ କମିଶନର ଦିବ୍ୟଜ୍ୟୋତି ପରିଡା।
ଭାରତ ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଚଳିତ ବର୍ଷ ‘ଆବର୍ଜନାମୁକ୍ତ ସହର’ ବର୍ଗରେ ରାଉରକେଲାକୁ ‘ୱାନ୍ ଷ୍ଟାର’ ମାନ୍ୟତା ମିଳିଛି। ଏହି ମାନ୍ୟତା ପାଇବାରେ ରାଉରକେଲା ହେଉଛି ଓଡ଼ିଶାର ଏକମାତ୍ର ସହର। ତେଣୁ ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ, ପରିମଳ ପରିଚାଳନାରେ ନିୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ମହାନଗରବାସୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି।
‘‘ରାଉରକେଲା ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ପାଇଁ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ପରିମଳ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ମାଧ୍ୟମରେ ଲୋକଙ୍କ ଦୁଆର ମୁହଁରୁ ଅଲଗାକରି ଓଦା ଏବଂ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୨୦ ଡିସେମ୍ବର ୪ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରିମଳ ସହ ଜଡ଼ିତ ସମସ୍ତ କର୍ମଚାରୀ, ସଫେଇ କର୍ମୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିବଦ୍ଧତା ତଥା ରାଉରକେଲାବାସୀଙ୍କ ସହଯୋଗ ପାଇଁ ଆଜି ଆମକୁ ଏହି ସଫଳତା ମିଳିଛି’’, କହିଛନ୍ତି ମହାନଗର ନିଗମ କମିଶନର।
ଭାରତ ସରକାରଙ୍କ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ଟି ସହର ଭାଗ ନେଇଥିଲେ। ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର ବ୍ରହ୍ମପୁର ସର୍ବଭାରତୀୟ ସ୍ତରରେ ୫୬ ସ୍ଥାନରେ ରହିଛି। ତେବେ ଆବର୍ଜନାମୁକ୍ତ ସହର ଭାବେ ରାଉରକେଲା ୫୭ତମ ରାଙ୍କରେ ରହିବା ସହିତ ‘ୱାନ୍ ଷ୍ଟାର’ ମାନ୍ୟତା ପାଇଛି। ଏହି ଷ୍ଟାର ମାନ୍ୟତା ପାଇବାରେ ରାଉରକେଲା ଓଡ଼ିଶାରେ ଏକମାତ୍ର ସହର। ରାଉରକେଲାକୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ନାଗରିକମାନଙ୍କ ପାଇଁ ଆକର୍ଷଣୀୟ କରିବାକୁ ମହାନଗର ନିଗମ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ବୋଲି କମିଶନର ଦିବ୍ୟଜ୍ୟୋତି ପରିଡ଼ା କ
ହିଛନ୍ତି।
ଲୋକଙ୍କ ଘରୁ ପ୍ରତିଦିନ ବାହାରୁଥିବା କଠିନ ଆବର୍ଜନାର ପରିଚାଳନା ପାଇଁ ରାଉରକେଲା ସହରରେ ଏବେ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) କାର୍ଯ୍ୟକ୍ଷମ ଅଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ମହିଳାମାନେ ଆବର୍ଜନାରୁ ପ୍ରସ୍ତୁତ କରୁଥିବା ଖତ ବିକ୍ରୟ କରି ଜୀବିକାରେ ଉନ୍ନତି ଆଣିପାରିଛନ୍ତି।

