ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ସୁଯୋଗ ଦେବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଆନ୍ତଃବ୍ଲକ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ସୋମବାର ଦିନ ସୁନ୍ଦରଗଡ଼ ସଦର ବ୍ଲକର କିଞ୍ଜିର୍ମାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଉଦଘାଟନ କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଆୟୋଜିତ ଏହି ଆନ୍ତଃବ୍ଲକ କ୍ରୀଡ଼ା ପ୍ରତିଯୋଗିତା ସମସ୍ତ ୧୭ଟି ବ୍ଲକରେ ଦୁଇ ଦିନ ଧରି ଚାଲିବ। ଏଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ଯୁବ ଗୋଷ୍ଠୀମାନେ ଭାଗ ନେଉଛନ୍ତି। ୫ ହଜାରରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଛନ୍ତି।
‘‘ସୁନ୍ଦରଗଡ଼ ହେଉଛି ହକିର ଗଡ଼। ତେଣୁ ଆମ ଜିଲ୍ଲାରେ ହକି ସହିତ ବିଭିନ୍ନ କ୍ରୀଡ଼ାର କିପରି ବିକାଶ ହୋଇପାରିବ ତା’ଉପରେ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଇ ଆସୁଛି। ଗ୍ରାମାଞ୍ଚଳରେ ଥିବା ଅନେକ କ୍ରୀଡ଼ା ପ୍ରତିଭାମାନେ କିପରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଆନ୍ତଃବ୍ଲକ କ୍ରୀଡ଼ା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରରେ ସୁଯୋଗ ଦିଆଯିବ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ। ପରେ ଏହି ଟିମ୍ ରାଜ୍ୟସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ପ୍ରଭାତ ଭୋଳ କହିଛନ୍ତି।
ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ସିନିୟର ଏବଂ ଜୁନିୟର ବିଭାଗରେ ୬ଟି ବର୍ଗ କରାଯାଇଛି। ବ୍ଲକସ୍ତରରେ ନାମ ପଞ୍ଜୀକରଣ କରିଥିବା ଖେଳାଳିମାନଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ଦିଆଯାଉଛି।
କିଞ୍ଜିର୍ମାଠାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, କିଞ୍ଜିର୍ମା କଲେଜ ଅଧ୍ୟକ୍ଷ ମନୋଜ କୁମାର ଚୌଧୁରୀ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ପ୍ରଭାତ କୁମାର ଭୋଳ, ଭେଡାବାହାଲ ପଞ୍ଚାୟତ ସମିତି କଲେଜ ଅଧ୍ୟାପକ ପ୍ରିୟଦର୍ଶି ଅଶୋକ ବରାଇ, ବ୍ଲକ ଶିକ୍ଷା ଅଧିକାରୀ ଲିଲିମା ଗ୍ଲୋରିଆ ଡୁଙ୍ଗଡୁଙ୍ଗ, କିଞ୍ଜିର୍ମା ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବକୀ ଜୟପୁରିୟା, ଲେଫ୍ରିପଡା ବ୍ଲକ ଶିକ୍ଷା ଅଧିକାରୀ ତଥା ବିଏସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ଚୌଧୁରୀ ଯୋଗ ଦେଇଥିଲେ।
ଉଦଘାଟନ ପରେ ପ୍ରତିଯୋଗୀମାନେ ମୁଖ୍ୟ ଅତିଥିଙ୍କଠାରୁ ମଶାଲ ଗ୍ରହଣ କରିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

