ହିନ୍ଦୋଳରେ ଚାଲିଛି ବେଧଡ଼କ ପାଉଁଶ ବୋଝେଇ ହାଇଭା, ପ୍ରଦୂଷଣରେ ଅଣନିଶ୍ୱାସୀ ଅଞ୍ଚଳବାସୀ।
ଢେଙ୍କାନାଳ : ୧୪/୮
(ସତ୍ୟାନ୍ୟୁଜ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ପାଉଁଶ ବୋଝେଇ ହାଇଭା। ଦୈନିକ ଶହ ଶହ ହାଇଭାରେ ପାଉଁଶ ଓ କ୍ରସର ଗୁଣ୍ଡ ଟାଟା ଷ୍ଟିଲ ମେରାମଣ୍ଡଳୀ ଅଞ୍ଚଳରୁ ଗୁଡ଼ିଆକାଟେଣି ଦେଇ ହିନ୍ଦୋଳ ଉପଖଣ୍ଡ ରାସ୍ତାରେ ନରସିଂହପୁର ଓ ନୟାଗଡ଼ ଅଞ୍ଚଳକୁ ଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଅନେକ ଗାଡ଼ି ଓଭରଲୋଡ୍ ଭାବେ ପାଉଁଶ ବୋଝେଇ କରି ଯାଉଥିବା ବେଳେ ଗାଡ଼ିରୁ ପାଉଁଶ ଗୁଣ୍ଡ ଉଡ଼ି ସମଗ୍ର ରାସ୍ତାରେ ପ୍ରଦୂଷଣ ସୃଷ୍ଟି କରୁଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ପଥଚାରୀ ଓ ଦୁଇଚକିଆ ଚାଳକମାନେ ଧୂଳି ଓ ପାଉଁଶରେ ଅସୁବିଧା ଭୋଗୁଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରଦୂଷଣ ନିୟମ ଉଲ୍ଲଂଘନ ନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ଏହି ଗାଡ଼ି ଚଳାଚଳ ଉପରେ ପ୍ରଭାବଶାଳୀ ଅଙ୍କୁଶ ଲାଗୁନାହିଁ। ଏପରିକି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ପାଉଁଶ ପଡ଼ିଥିବା ଦେଖିବାକୁ ମିଳିଛି।
ତେବେ ପାଉଁଶ ବୋଝେଇ ଓଭରଲୋଡ୍ ହାଇଭା ଚଳାଚଳ ଉପରେ ତୁରନ୍ତ ଯାଞ୍ଚ କରିବା, ପ୍ରଦୂଷଣ ନିୟମ ଓ ପରିବହନ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ବିରୋଧରେ କଡ଼ା ପଦକ୍ଷେପ ନେବା ସହ ରାସ୍ତାରେ ପାଉଁଶ ଉଡ଼ିବା ରୋକିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ।