ସୁନ୍ଦରଗଡ଼ (ବ୍ୟୁରୋ) ୧୬ ନଭେମ୍ବର ୨୦୨୧।। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ମଙ୍ଗଳବାର ଦିନ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏହି ଅବସରରେ ‘ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା – ଏକ ନୂତନ ଆହ୍ୱାନ’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା।
‘‘କରୋନା ମହାମାରୀ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିରନ୍ତର ଭାବେ କାର୍ଯ୍ୟ କରି ଲୋକମାନଙ୍କୁ ତାଜା ସୂଚନା ପ୍ରଦାନ କରୁଥିଲେ। ବିଶେଷକରି କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସୁନ୍ଦରଗଡ଼ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏହି ସମୟରେ ଧୈର୍ଯ୍ୟର ସହ ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମରେ ପ୍ରସାରଣ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ହେଉଛନ୍ତି ଆମ ସମାଜର ଜାଗ୍ରତ ପ୍ରହରି। ତେଣୁ ଆମ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସେମାନଙ୍କର ସହଯୋଗ ନିହାତି ରହିବା ଜରୁରୀ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ୍ କେରକେଟା, ସୁନ୍ଦରଗଡ଼ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ମହମ୍ମଦ ସବିର, ସଂପାଦକ ଦେବାଶିଷ କବିଙ୍କ ସହିତ ସୁନ୍ଦରଗଡ଼ର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶେଷରେ ନୂତନ ଭାବେ ଯୋଗ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥଲେ।

