ରାଉରକେଲା:୧୪/୭
(ସତ୍ୟାନ୍ୟୁଜ) ଆଉ ଦିନକ ପରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଗୋଟିଏ ପଟେ ବିଭିନ୍ନ ରଥଯାତ୍ରା କମିଟି ପକ୍ଷରୁ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି । ରଥଯାତ୍ରା ଓ ବାହୁଡ଼ା ଯାତ୍ରା–୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ଆୟୋଜନ କରିବା ପାଇଁ ରାଉରକେଲା ପୁଲିସ ପକ୍ଷରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆଜି ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସ୍ପି ନିତେଶ ୱାଧୱାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ରାଉରକେଲା ଏଡିଏମ୍ ଦୀନା ଦସ୍ତାଗୀର, ପାନପୋଷ ଉପଜିଲ୍ଲାପାଳ, ଡିଏଫଓ, ରାଉରକେଲା ଓ ବଣାଇର ଅତିରିକ୍ତ ଏସ୍ପିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ଏବଂ ଇଣ୍ଟିଗ୍ରେସନ୍ ଫୋରମର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ବୈଠକରେ ରଥଯାତ୍ରା ସମୟରେ ଟ୍ରାଫିକ୍ ପରିଚାଳନା, ଜନସମାଗମ ନିୟନ୍ତ୍ରଣ, ଜରୁରୀକାଳୀନ ସେବା, ସୁରକ୍ଷା ବ୍ୟବସ୍ଥା ଓ ଭକ୍ତମାନଙ୍କ ସୁବିଧା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ରାଉରକେଲା ପୁଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ରଥଯାତ୍ରା ପାଇଁ ସୁରକ୍ଷା ଓ ପ୍ରଶାସନିକ ପ୍ରସ୍ତୁତିକୁ ନେଇ ରାଉରକେଲା ପୁଲିସ ସମସ୍ତ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ବେଳେ ଭକ୍ତମାନଙ୍କୁ ମଧ୍ୟ ପୁଲିସର ନିର୍ଦ୍ଦେଶ ପାଳନ କରି ସହଯୋଗ କରିବାକୁ ଅନୁରୋଧ କରାଯାଇଛି।