ରାଉରକେଲା: ୫/୬ (ସତ୍ୟାନ୍ୟୁଜ)
ବେଆଇନ ବାଲି ଚାଲାଣ ଏବଂ ଅବୈଧ ଖଣି ଖନନ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନରେ ରାଉରକେଲା ପୋଲିସକୁ ମିଳିଛି ବଡ଼ ସଫଳତା। ଜୁନ ୪ ଓ ୫ ତାରିଖ ମଧ୍ୟରାତ୍ରୀରେ ଚାଲିଥିବା ଚେକିଂ ବେଳେ ପୋଲିସ ତିନୋଟି ବାଲି ବୋଝେଇ ଗାଡ଼ିକୁ ଅଟକ ରଖିଛି।
ରାଉରକେଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ପାନପୋଷ ଏସଡିପିଓ ସୁଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା।
ସୂଚନା ଅନୁଯାୟୀ, ଭୋର ପ୍ରାୟ ସାଢେ ୩ଟା ବେଳେ କୁଆରମୁଣ୍ଡାରୁ ରାଉରକେଲା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବାଲି ବୋଝେଇ ହାଇୱା ଗାଡ଼ି ନମ୍ବର OD-15-6425 କୁ ଅଟକାଇବାକୁ ପୋଲିସ ସଙ୍କେତ ଦେଇଥିଲା। କିନ୍ତୁ ଚାଳକ ଗାଡ଼ି ନଅଟକାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ତୁରନ୍ତ ପିଛା କରି କୁଆରମୁଣ୍ଡା ପାର୍ଶ୍ୱର ଶଙ୍ଖ ସେତୁ ନିକଟରେ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲା।
ଯାଞ୍ଚ ବେଳେ ଗାଡ଼ିରେ ବାଲି ପରିବହନ ପାଇଁ କୌଣସି ବୈଧ ଟ୍ରାନ୍ଜିଟ ପାସ୍ (ଟିପି) କିମ୍ବା ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ନଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ଯାଞ୍ଚରେ ଆଉ ଦୁଇଟି ବାଲି ବୋଝେଇ ଗାଡ଼ି—ହାଇୱା OD-14-AB-7211 ଓ ଡମ୍ପର OR-09-K-5308—କୁ ମଧ୍ୟ ପୋଲିସ ଅଟକ ରଖିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବାଲିଗୁଡ଼ିକ ପ୍ରଧାନପାଲି ବାଲି ଖାଦାନରୁ ଲୋଡ୍ ହୋଇ ଟିସିଆଇ, ଆଇଡିସି ଓ କୋଇଡା ସମେତ ବିଭିନ୍ନ ସ୍ଥାନକୁ ନିଆଯାଉଥିଲା। ଏହି ବେଆଇନ ପରିବହନ ଚକ୍ରରେ ଗାଡ଼ି ମାଲିକ, ପରିଚାଳକ, ଖାଦାନ ଲିଜଧାରୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଛି।
ଅଟକ ଗାଡ଼ିଗୁଡ଼ିକ ସହ ସମ୍ପୃକ୍ତ ଚାଳକ ଓ ହେଲପରମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ମଣି ସିଂହ, ମହେଶ ଓରାମ, ଅଭିଜିତ ଦେହୁରୀ, ସମୀର ଟପ୍ପୋ ଏବଂ ନିରଞ୍ଜନ ସିଂହ ଅଛନ୍ତି।
ପୋଲିସ ତିନୋଟି ଗାଡ଼ିକୁ ଜବତ କରିବା ସହ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ବେଆଇନ ବାଲି ଖନନ ଓ ପରିବହନ ରାକେଟର ସମ୍ପୂର୍ଣ୍ଣ ନେଟୱର୍କକୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି।