ରାଉରକେଲା:୬/୬(ସତ୍ୟାନ୍ୟୁଜ) ରାଉରକେଲା ବନଖଣ୍ଡ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଥମୁ ନାହିଁ ହାତୀ ଆତଙ୍କ। ରାଉରକେଲା ବନଖଣ୍ଡରେ ଦୁଇ ଦିନରେ ହାତୀ ଆକ୍ରମଣରେ ୨ ଜଣ ମହିଳାଙ୍କ ମୃତ୍ୟୁ ହେଲାଣି। ବନ ବିଭାଗ କେବଳ କ୍ଷତିପୂରଣ ଦେଇ ଚୁପ୍ ବସିଛନ୍ତି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ସକାଳେ ରାଉରକେଲା ଫରେଷ୍ଟ ଡିଭିଜନ ର ବାଙ୍କୀ ରେଞ୍ଜ ଅନ୍ତର୍ଗତ କଛୁପଡା ଗାଁ ନିକଟରେ ହାତୀ ଜଣେ ୫୫ ବର୍ଷୀୟା ମହିଳାଙ୍କୁ କଚାଡ଼ି ମାରି ଦେଇଛି। ଗାଁ ର ଯମୁନା ମହାନ୍ତ ଶୌଚ ଲାଗି ଯାଇ ଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡି ଯାଇ ଥିଲେ। ଦନ୍ତାଟି ମହିଳା ଙ୍କୁ ଶୁଣ୍ଢରେ କଚାଡି ମାରି ଦେଇ ଥିଲା। ଖବର ପାଇ ବାଙ୍କୀ ରେଞ୍ଜର, ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ୍ ପାଇଁ ମୃତଦେହକୁ ଡାକ୍ତରଖାନା ପଠାଇ ଥିଲେ। ଉକ୍ତ ଅଂଚଳ ରେ ୧୦ରୁ ଉର୍ଦ୍ଧ ହାତୀ ଥିବା ବେଳେ ଗୋଟିକିଆ ଦନ୍ତା ଆସି ମହିଳା ଙ୍କୁ ଆକ୍ରମଣ କରି ଥିଲା। ଏବେ ପାଖ ଜଙ୍ଗଲ ରେ ହାତୀ ଥିବା ଯୋଗୁ ବନ ବିଭାଗ ଟିମ୍ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି।
ଅନ୍ୟପକ୍ଷରେ ଗତକାଲି ସକାଳେ ବିରମିତ୍ରପୁର ବନାଞ୍ଚଳ ଜୟଡେଗା ଜଙ୍ଗଲରେ ଜଣେ ୬୫ ବର୍ଷୀୟା ମହିଳାଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା
ସୌନାପଡା ବସ୍ତିର ଗ୍ଲୋରିଆ ଟପ୍ପୋ ବୋଲି ଜଣା ପଡିଛି। ମହିଳା ଜଣକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଜିଲ୍ଲାରେ ହାତୀ ଆତଙ୍କ ଜାରୀ ରହିଥିବାରୁ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।