ରାଉରକେଲା : ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ରେଲୱେ , ମହାନଗର ନିଗମ ଏବଂ ବିଧାୟକଙ୍କ ଉଦ୍ୟମ।। ମାଲ ଗୋଦାମ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା।
ରାଉରକେଲା : ୧୭/୮
(ସତ୍ୟାନ୍ୟୁଜ) ଗତ ଅଗଷ୍ଟ ୧୩ ଏବଂ ୧୬ ତାରିଖରେ ରାଉରକେଲାରେ ହୋଇଥିବା ପ୍ରବଳ ବର୍ଷାରେ ସାରା ସହର ଜଳାର୍ଣ୍ଣବ ହୋଇ ଯାଇଥିଲା। ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ଘରେ ପଶି ଯାଇଥିବା ବେଳେ ରିଙ୍ଗ ରୋଡ ଏବଂ ମେନ୍ ରୋଡ ରେ ପାଣି ଲହଡ଼ି ମାରୁଥିଲା। ଏପରିକି ଛେଣ୍ଡ୍ ଏବଂ ବାସନ୍ତୀ କଲୋନୀ ରେ ମଧ୍ୟ ୪/୫ ଫୁଟ ର ପାଣି ଚାଲିଥିଲା। କମ୍ ସମୟରେ ପ୍ରବଳ ବର୍ଷା ଏବଂ ଡ୍ରେନ୍ ଜାମ୍ ଯୋଗୁଁ ଏପ୍ରକାର ସ୍ଥିତି ଉପୁଜି ଥିବା କୁହା ଯାଉଛି। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ , ମହାନଗର ନିଗମ ଉଦ୍ୟମ କରୁଥିବା ବେଳେ ଆଜି ରେଲୱେ ତରଫରୁ ମଧ୍ୟ ସମସ୍ୟା ବାବଦରେ ସମୀକ୍ଷା କରା ଯାଇଛି। ପୂର୍ବାହ୍ନ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ଏଡିଏମ୍ ଦିନା ଦସ୍ତଗିର୍, ଡି ଆର ଏମ୍ , ଚକ୍ରଧର ପୁର ତରୁଣ କୁମାର ପ୍ରମୁଖ ମାଲ ଗୋଦାମ ଅଞ୍ଚଳ ସହ ଷ୍ଟେସନ୍ ର ଦ୍ୱିତୀୟ ପ୍ରବେଶ ପଥ ବୁଲି ଦେଖିଥିଲେ। ରେଲୱେ ପକ୍ଷ ରୁ ନିର୍ମାଣ କରା ଯାଇଥିବା ନାଳ ଠିକ୍ ଥିବା ବେଳେ ମୁଖ୍ୟତଃ ନାଳ ଜାମ୍ ଯୋଗୁଁ ଏପରି ଜଳବନ୍ଦୀ ସ୍ଥିତି ଉପୁଜି ଥିବା
ଡି ଆର ଏମ୍ କହିଛନ୍ତି। ସମସ୍ତେ ମିଳିମିଶି କାମ କଲେ ଏହି ସମସ୍ୟା ର ସମାଧାନ ସହଜ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଉରକେଲା ଇସ୍ପାତ୍ କାରଖାନା , ରେଲୱେ ଏବଂ ମହାନଗର ନିଗମ ମଧ୍ୟରେ ଠିକ୍ ତାଳ ମେଳ ରହୁ ନଥିବାରୁ ଜଳବନ୍ଦୀ ସମସ୍ୟା ଲାଗି ରହିଥିବା ବିଧାୟକ କହିଛନ୍ତି। ତେବେ ଆଗାମୀ ଦିନରେ ଯେପରି ଏପ୍ରକାର ଜଳବନ୍ଦୀ ସ୍ଥିତି ଉପୁଜିବ ନାହିଁ ସେଥିପାଇଁ ଧ୍ୟାନ ଦିଆ ଯାଉଥିବା କହିଛନ୍ତି ଏଡିଏମ୍ , ଡି ଆର ଏମ୍ ଏବଂ ବିଧାୟକ।