ସୁନ୍ଦରଗଡ଼ : ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା ପାଇଁ ସର୍ବାଦଳୀୟ ବୈଠକ।। ୧୩୦ଟି ନୂତନ ଭୋଟ କେନ୍ଦ୍ର ବୃଦ୍ଧି ପରେ ସଂଖ୍ୟା ହେଲା ୧୯୭୭।
ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରିବା ନେଇ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼:୨/୮/(ସତ୍ୟାନ୍ୟୁଜ) ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରାଯିବା ନେଇ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରିବାର ଉଦ୍ଦେଶ୍ୟ ହେଉଛି କୌଣସି ଭୋଟ କେନ୍ଦ୍ର ଗୁଡିକ ୧୨୦୦ ଭୋଟର ରୁ ଅଧିକ ହୋଇନଥିବ, ସଂକ୍ଷିପ୍ତ, ସୁଗମ ଏବଂ ମାନକୀକରଣ ମତଦାନ କ୍ଷେତ୍ର ସୃଷ୍ଟି କରିବା , ଏଲେକ୍ଟ୍ରୋରାଲ ରୋଲ ଏବଂ ଭୋଟର ପରିଚୟ ପତ୍ରରେ ସମାନତା କୁ ସୁନିଶ୍ଚିତ କରିବା ଆଦି।
ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗୁଡିକରେ ନୂତନ ଭୋଟ କେନ୍ଦ୍ର ଗୁଡିକ ସୃଷ୍ଟି କରାଯାଇଅଛି। ତଳସରା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୭ ଗୋଟି ବୁଥ ଭୋଟ କେନ୍ଦ୍ର ରହିଥିଲା ସେଠାରେ ଏବେ ୨୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଅଛି। ସେହିଭଳି ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ରେ ପୂର୍ବରୁ ୨୯୬ ଗୋଟି ଭୋଟ କେନ୍ଦ୍ର ରହିଥିବା ବେଳେ ବର୍ତ୍ତମାନ ୧୮ ଗୋଟି କେନ୍ଦ୍ର କରାଯାଇଛି, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୩୦୧ ଗୋଟି ଭୋଟ କେନ୍ଦ୍ର ରହିଥିଲା ଏବଂ ସେଠାରେ ଏବେ ୧୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଛି, ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ରେ ପୂର୍ବରୁ ୧୯୩ ଗୋଟି ଭୋଟ କେନ୍ଦ୍ର ଥିବାବେଳେ ବର୍ତ୍ତମାନ ୬ ଗୋଟି ନୂତନ କେନ୍ଦ୍ର, ରାଉରକେଲା ନିର୍ବାଚନ ମଣ୍ଡଳୀରେ ଆଗରୁ ୧୯୭ ଭୋଟ କେନ୍ଦ୍ର ଥିଲା ଏବଂ ଏବେ ୧୨ ଗୋଟି ନୂତନ କେନ୍ଦ୍ର କରାହେଲା, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୪ ଗୋଟି ଭୋଟ କେନ୍ଦ୍ର ଥିଲା ଏବଂ ଏବେ ୩୬ ଗୋଟି ବୃଦ୍ଧି ହୋଇଅଛି ସେହିପରି ବଣାଇ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୩୦୯ ଗୋଟି ଭୋଟ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଛି। ଜିଲ୍ଲାରେ ସମୁଦାୟ ୧୮୪୭ ଗୋଟି ଭୋଟ କେନ୍ଦ୍ର ରହିଥିଲା ବର୍ତ୍ତମାନ ୧୩୦ ଗୋଟି ନୂତନ କେନ୍ଦ୍ର ବୃଦ୍ଧି ହେବାପରେ ତାହା ୧୯୭୭ ଗୋଟି ଭୋଟ କେନ୍ଦ୍ର ହୋଇଛି।
ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ବିଜେପି ପକ୍ଷରୁ ଶ୍ରୀ ଭେଷଜ ରଥ, ଆମ ଆଦମୀ ପାର୍ଟି ରୁ ଶ୍ରୀ ରାଧା ମୋହନ ପଟେଲ, ବିଜେଡି ରୁ ଶ୍ରୀ ଜୟ ନାରାୟଣ ତ୍ରୀପାଠୀ, ଆଇ ଏନ୍ ସି ରୁ ଶ୍ରୀ ଅଜିତ ପ୍ରସାଦ ଓ ଶ୍ରୀ ପର୍ଶୁରାମ ସରାଫ ଉପସ୍ଥିତ ରହିଥିଲେ ଏବଂ ନିଜ ନିଜର ମତାମତ ପ୍ରଦାନ କରିଥିଲେ।