ରାଉରକେଲା : ୬ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ସି ସି ଟିଭି କ୍ୟାମେରା ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଆଶା।। ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ମରାମତି କାମ।
୬ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ
- ୧୧୦ଟି ସ୍ଥାନରେ ଲାଗିଛି ୫୭୫ କ୍ୟାମେରା
- ଖର୍ଚ୍ଚ ହୋଇଛି ୧୦୬ କୋଟି
-ଯାଞ୍ଚ କରୁଛି ଭିଏଲ୍ଏଲ୍ ଟେକ୍ନିକାଲ ଟିମ୍
ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍) ଯେ କୌଣସି ବଡ଼ ସହରରେ ଟ୍ରାଫିକ ବ୍ୟବସ୍ଥା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସିସି ଟିଭି କ୍ୟାମେରା ସିଷ୍ଟମ୍ ର ନିହାତି ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ୧୦୬ କୋଟି ଟଙ୍କା ଅର୍ଥ ବିନିମୟରେ ସହରରେ ଆରମ୍ଭ କରାଯାଇଥିଲା ସିସି ଟିଭି କ୍ୟାମେରା ପ୍ରକଳ୍ପ। ରାଉରକେଲାର ୧୧୦ ଟି ଛକ ସ୍ଥାନରେ ୬୭୫ ଟି ସି ସି ଟିଭି କ୍ୟାମେରା ଲଗା ଯାଇଛି। ହକି ବିଶ୍ୱ କପ୍ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ହୋଇ ପାରି ନାହିଁ। ଏବେ ୫ ବର୍ଷ ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ।
ସି ସି ଟିଭି ପ୍ରକଳ୍ପ ବହୁ ଶୀଘ୍ର ହେବ ବୋଲି ନିକଟରେ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ। ଏହାର ୪ ମାସ ପରେ ସହରରେ ଲାଗିଥିବା ସିସି କ୍ୟାମେରା ଯୁଦ୍ଧକାଳୀନଭିତ୍ତିରେ ମରାମତି ଚାଲିଛି। ଗତ କାଲି ଠାରୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ଭିଏଲ୍ଏଲ୍)ଟେକ୍ନିକାଲ ଟିମ୍ ରାଉରକେଲାରେ ପହଞ୍ଚି ମରାମତି କାମରେ ଲାଗିଛନ୍ତି। ୧୧୦ଟି ସ୍ଥାନରେ ଲାଗିଥିବା ସିସି ଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଟିଏମ୍ଏସ୍)ଗୁଡ଼ିକ ଟେକ୍ନିକାଲ ଟିମ୍ ଯାଞ୍ଚ କରିଛନ୍ତି। ଆସନ୍ତା ୩/୪ ଦିନ ମଧ୍ୟରେ ମରାମତି ସହ ପରୀକ୍ଷା କାମ ସରିବ ବୋଲି ଠିକାସଂସ୍ଥା ପକ୍ଷରୁ କହାଯାଇଛି। ନୂଆ ସରକାର ଦାୟିତ୍ବ ନେବା ପରେ ପୁଲିସ ମହାନିର୍ଦ୍ଦେଶକ କହିବାନୁସାରେ ସିସି କ୍ୟାମେରା ଚାଲୁ ହେବାକୁ ଯାଉଥିବାରୁ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଆଶା ପୂରଣ ହେବାକୁ ଯାଉଛି। ଜାନୁଆରି ୨୦୨୩ରେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ସହ-ଆୟୋଜନ ହେବା ପୂର୍ବରୁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆର୍ଏସ୍ସିଏଲ୍) ୨୦୨୨ ଜୁଲାଇ ୪ରେ ରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହିତ ମାଷ୍ଟର ସିଷ୍ଟମ୍ ଇଣ୍ଟିଗ୍ରେଟର୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ରାଉରକେଲା ୱାନ୍ ପ୍ରୋଜେକ୍ଟର କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ନିର୍ମାଣ ସରିନଥିବାରୁ ସର୍ଭିଲେନ୍ସ ସିଷ୍ଟମ୍କୁ କାର୍ଯ୍ୟକ୍ଷମ କରାଯାଇ ପାରୁନଥିଲା। ସହରର ପ୍ରମୁଖ ଛକ ସମେତ ମୋଟ ୧୧୦ଟି ସ୍ଥାନରେ ୬୭୫ଟି ସିସି କ୍ୟାମେରା ଲଗାଯାଇଛି। କେବୁଲ ବିଛା କାମ ମଧ୍ୟ ସରିଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୦୬ କୋଟି। ଛେଣ୍ଡ କଲୋନି କନକମଞ୍ଜରୀ ଛକ, ହକି ଷ୍ଟାଡିୟମ ଛକ, ପ୍ରଧାନପାଲି ଛକ, ବିଏସ୍ଏନ୍ଏଲ୍ ଛକ, ବିଜୁ ପଟ୍ଟନାୟକ ଛକ, ରିଂ ରୋଡ ସ୍ପେସ୍ ଛକ, ରାଉରକେଲା ବିମାନବନ୍ଦର ସହରର ପ୍ରମୁଖ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି। ଏଥିସହ ରାଉରକେଲା ବିର୍ସା ମୁଣ୍ଡା ଛକ, ପାନପୋଷ ଗାନ୍ଧିଛକ, ହକିଛକ, ଉଦିତନଗର, ଏସ୍ଟିଆଇ, ଆଇଟିଆଇ, ଡେଲିମାର୍କେଟ, ବାସନ୍ତୀକଲୋନି, ବନ୍ଧମୁଣ୍ଡାରୋଡ, ସାରନଗରୀ, ରେଲୱେ କଲୋନି ଇସ୍ପାତ ସହରାଞ୍ଚଳର ପ୍ରମୁଖ ଛକରେ ସିସି କ୍ୟାମେରା କାମ ମଧ୍ୟ ସରିଛି। ସିସି କ୍ୟାମେରା ସୁରକ୍ଷା, ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ। ଏଥିସହ ଟ୍ରାଫିକ୍ ନିୟନ୍ତ୍ରଣରେ ମଧ୍ୟ ସେତିକି କାର୍ଯ୍ୟ କରିବ। ରେଡ୍ ଲାଇଟ୍ ଭାଇଓଲେସନ୍ ଡିଟେକ୍ସନ (ଆର୍ଏଲ୍ଭିଡି), ସ୍ପିଡ୍ ଭାଇଓଲେସନ୍ ଡିଟେକ୍ସନ ସିଷ୍ଟମ (ଏସ୍ଭିଡିଏସ୍), ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନାଇଜେସନ୍ ସିଷ୍ଟମ (ଏଏନ୍ପିଆର୍), ଫେସ୍ ରେକଗ୍ନାଇଜେସନ୍ ସିଷ୍ଟମ (ଏଫ୍ଆର୍ଏସ୍) ଓ ନିୟମଭଙ୍ଗକାରୀ ପାଇଁ ଇ-ଚାଲାନ୍ ସିଷ୍ଟମ କାର୍ଯ୍ୟ କରିବ। ଗତ ୨୦୧୮ରେ ସହରରେ ୧୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ସ୍ମାର୍ଟସିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗତ ୨୦୧୯ ଜାନୁଆରି ଆମେରିକା ବେସ୍ଡ କମ୍ପାନି ‘ହନି ୱେଲ୍’ ସମେତ ଅନ୍ୟ ଦୁଇଟି ଠିକା ସଂସ୍ଥାକୁ ପରୀକ୍ଷାମୂଳକ ଭାବେ ସିସି କ୍ୟାମେରା ଲଗାଇବା କାମ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତିନିଟି ସଂସ୍ଥାର କାମ ସନ୍ତୋଷଜନକ ନଥିବାରୁ ସିସି କ୍ୟାମେରା ପ୍ରକଳ୍ପ ବାତିଲ ହୋଇଥିଲା।