ରାଉରକେଲା : ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ।। ଟାଙ୍ଗରପାଲି ଥାନା ଅଞ୍ଚଳର ଘଟଣା।। ଅଭିଯୁକ୍ତ ସ୍ବାମୀ ଗିରଫ।
ରାଉରକେଲା: ୨୯/୬(ସତ୍ୟାନ୍ୟୂଜ୍)
ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀର ଜୀବନ ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହାଟିଙ୍ଗ ଟୋଲାରେ। ମୃତକ ହେଉଛନ୍ତି ଗ୍ରାମର ରାଇସିଂ ମୁଣ୍ଡାଙ୍କ ପତ୍ନୀ ସବିତା। ପୁଲିସ ଅଭିଯୁକ୍ତ ସ୍ବାମୀ ରାଇସିଂକୁ ଗିରଫକରି କୋର୍ଟଚାଲାଣ କରିଛି। ସୂଚନା ଅନୁସାରେ, ବହୁବର୍ଷ ଧରି ରାଇସିଂ, ସ୍ତ୍ରୀ ସବିତା ଓ ୨ ସନ୍ତାନଙ୍କୁ ନେଇ ହାଟିଙ୍ଗଟୋଲାରେ ରହିଆସୁଥିଲେ। ଶୁକ୍ରବାର ରଥଯାତ୍ରା ଦେଖି ଉଭୟ ଫେରିଥିଲେ। ତେବେ କୌଣସି କାରଣରୁ ରାଇସିଂ ସ୍ତ୍ରୀକୁ ସନ୍ଦେହ କରି ଆସୁଥିଲେ। ସେହି କାରଣରୁ ଶୁକ୍ରବାର ମଧ୍ୟରାତ୍ରିରେ ନିଶାସକ୍ତ ଅବସ୍ଥାରେ ସବିତାଙ୍କୁ ଗାଳିଗୁଲଜ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରାଇସିଂ ଉତ୍କ୍ଷିପ୍ତ ହୋଇ ସବିତାଙ୍କ ମୁଣ୍ଡକୁ ଏକ କାଠଫାଳିଆରେ ବାରମ୍ବାର ପିଟିଥିଲେ। ଘଟଣାସ୍ଥଳରେ ସବିତାଙ୍କର ମୃତ୍ୟୁ ହୋଇଯାଇଥିଲା। ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି।