ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ।। ଚିକିତ୍ସା ପାଇଁ ମୁମ୍ବାଇ ଯିବେ।
ଭୁବନେଶ୍ୱର:୧୮/୬(ସତ୍ୟାନ୍ୟୁଜ) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ସମସ୍ୟାରେ ପୀଡ଼ିତ। ଏହାର ଚିକିତ୍ସା ପାଇଁ ସେ ମୁମ୍ବାଇ ଗସ୍ତରେ ଯିବେ ବୋଲି ଜଣା ପଡିଛି। ୨୨ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ। ନବୀନ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ନବୀନଙ୍କ ଭେରିଫାଏଡ୍ ‘ଏକ୍ସ’ ହ୍ୟାଣ୍ଡଲରୁ ବୁଧବାର ଅପରାହ୍ନରେ ଗୋଟିଏ ପୋଷ୍ଟରେ ନବୀନ ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ଥିବା ଓ ୨୨ତାରିଖରେ ତାଙ୍କର ଚିକିତ୍ସା ହେବ ବୋଲି ସୂଚନା ଦେଇଛନ୍ତି । ତାଙ୍କ ପୋଷ୍ଟରେ ନବୀନ କହିଛନ୍ତି, “ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ଚଳିତ ମାସ ୨୨ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ ଆର୍ଥ୍ରାଇଟିସ ପାଇଁ ଏକ ଚିକିତ୍ସା ପ୍ରକ୍ରିୟାରେ ରହିବି । ତାଙ୍କର ବ୍ୟକ୍ତିଗତ ଚିକିତ୍ସିକ ଡାକ୍ତର ରାମାକାନ୍ତ ପଣ୍ଡା ମୁମ୍ବାଇରେ ଏହି ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୋର ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ସହିତ, ମୁଁ ଶୀଘ୍ର ସୁସ୍ଥ ହୋଇ ଆପଣ ସମସ୍ତଙ୍କ ସେବା ପାଇଁ ଫେରି ଆସିବାକୁ ଆଶା କରୁଛି” ବୋଲି ନବୀନ ତାଙ୍କ ଅଫିସିଆଲ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ନବୀନ ଦିନେ ଦୁଇଦିନ ମଧ୍ୟରେ ମୁମ୍ବାଇ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି ।
ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ଥିବା ‘କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲ’ ହେଉଛି ଭାରତର ଅନ୍ୟତମ ଉନ୍ନତ ଚିକିତ୍ସା କେନ୍ଦ୍ର । ୨୦୦୯ ମସିହାରେ ପ୍ରତିଷ୍ଠିତ ଏହି ହସ୍ପିଟାଲ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରିଚାଳିତ । ଡାକ୍ତର ରାମାକାନ୍ତ ପଣ୍ଡା, ଯିଏକି ଜଣେ ଓଡ଼ିଆ ଏବଂ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଭାବେ ପରିଚିତ, ସେ ଦୀର୍ଘଦିନ ଧରି ଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଥିବା ଜଣାପଡ଼ିଛି ।