ଦିଲ୍ଲୀ : ଦେଶରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି।। ଓଡ଼ିଶାରେ ୭ କରୋନା ଆକ୍ରାନ୍ତ ଚିହ୍ନଟ।। କେରଳରେ ସର୍ବାଧିକ ୧୧୪୭ ଆକ୍ରାନ୍ତ ଚିହ୍ନଟ।
ଦିଲ୍ଲୀ/ଭୁବନେଶ୍ୱର:୩୧/୫ (ସତ୍ୟାନ୍ୟୁଜ) ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ରେ ପହଞ୍ଚି ଯାଇଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ତେବେ ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଦେଶରେ କରୋନା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କେରଳ। ଦୀର୍ଘ ମାସ ଧରି ଦେଶରେ କରୋନା ସଂକ୍ରମଣ ପୂରା ଥମି ଯାଇଥିଲା। କିନ୍ତୁ ଏବେ ସଂକ୍ରମିତଙ୍କ ସଂଖ୍ୟା ୫ ଗୁଣ ବଢ଼ିଛି। ସେହିପରି କରୋନା ଯୋଗୁ ୨୪ ଘଣ୍ଟାରେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ କେରଳରେ ୧୧୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୨୪ ଜଣ, ଦିଲ୍ଲୀରେ ୨୯୪ ଜଣ ଓ ଗୁଜରାଟରୁ ୨୨୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି କର୍ଣ୍ଣାଟକା ଓ ତାମିଲନାଡୁରେ ୧୪୮ ଜଣ ଲେଖାଏ ଓ ପଶ୍ଚିମବଙ୍ଗରେ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଚଳିତ ବର୍ଷ କରୋନା ୨୨ ଜଣଙ୍କ ଜୀବନ ନେଇ ସାରିଲାଣି। ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨ ଜଣ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକା, ପଞ୍ଜାବ ଓ ତାମିଲନାଡୁରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନର କରୋନା ଳହରୀରେ ପ୍ରଥମଥର ପାଇଁ ଦିଲ୍ଲୀରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନି।
କରୋନା ମାମଲା ଚିହ୍ନଟ ହେଉଥିଲେ ହେଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆତଙ୍କିତ ନ ହେବାକୁ କହିଛି। କେରଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାର କାରଣ ହେଲା, ସେଠାକାରା ରାଜ୍ୟ ସରକାର ଅଧିକରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ କରୁଛନ୍ତି। ୭ ମାସ ପରେ ମିଜୋରାମରେ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।