ରାଉରକେଲା : ଶିଶୁ ନାଟ୍ୟ କର୍ମଶାଳା ଉଦଘାଟିତ।। ଏକ ମାସ ଧରି ଚାଲିବ।। ଏନ୍ ଏସ ଡି ଏବଂ ସେଲ୍ ର ମିଳିତ ଆନୁକୁଲ୍ୟରେ ଆୟୋଜିତ।

0 302

ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଏବଂ ସେଲ୍, ରାଉରକେଲା ଇସ୍ପାତ କାରଖାନାର ମିଳିତ ସହଭାଗିତାରେ ଆୟୋଜିତ ଶିଶୁ ନାଟ୍ୟ କର୍ମଶାଳା ଉଦଘାଟିତ
ରାଉରକେଲା:୧୩/୫(ସତ୍ୟାନ୍ୟୁଜ) ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନ ଏସ ଡି) ଓ ସେଲ୍, ରାଉରକେଲା ଇସ୍ପାତ କାରଖାନା (ଆର ଏସ ପି) ର ମିଳିତ ସହଭାଗିତାରେ ଏକ ମାସ ବ୍ୟାପୀ ଆୟୋଜିତ ଶିଶୁ ନାଟ୍ୟ କର୍ମଶାଳା ମଇ ୧୨ ତାରିଖ ରେ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରେକ୍ଷାଳୟରେ ଉଦଘାଟିତ ହୋଇଛି । ଏହାର ଉଦଘାଟନୀ ସମାରୋହରେ ଆରଏସପି ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସହର ସେବା ଓ ସିଏସଆର ବିଭାଗର ସିଜିଏମ୍ ଟି ଜି କାନେକର ସମ୍ମାନିତ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ। ଏତଦଦବ୍ୟତିତ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଫେସର ଡକ୍ଟର ସମର ମୁଦାଲି, ଏକତ୍ର ସାମାଜିକ-ସାଂସ୍କୃତିକ ସଂଗଠନର ସଭାପତି ରାଜୀବ ପାଣି, ଆରଏସପି ଲୋକସମ୍ପର୍କ ବିଭାଗର ଜିଏମ୍ ଏବଂ ସଂଚାର ମୁଖ୍ୟ ଶ୍ରୀମତୀ ଅର୍ଚ୍ଚନା ଶତପଥୀ, ଏନଏସଡିର ପୂର୍ବତନ ଛାତ୍ର ଏବଂ କର୍ମଶାଳାର ନିର୍ଦ୍ଦେଶକ ଜଗନାଥ ସେଠ ଏବଂ ଏନଏସଡିର ସ୍ଥାନୀୟ ସଂଯୋଜକ ଭାସ୍କର ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ମିଶ୍ର ଶିଶୁ ଏବଂ କିଶୋରଙ୍କ ପାଇଁ ଏକ ଉଚ୍ଚମାନର ନାଟ୍ୟ କର୍ମଶାଳା ଆୟୋଜନ ପାଇଁ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ସେ ଏପରି ସୃଜନଶୀଳ କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ବିଶେଷ ରୁଚିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ଏହାକୁ ଜୀବନର ମାର୍ଗଦର୍ଶକ ସହିତ ତୁଳନା କରିଥିଲେ ଯାହା ବହୁମୂଲ୍ୟ ଜୀବନଧର୍ମୀ ବୌଦ୍ଧିକ ଶିକ୍ଷା ପ୍ରଦାନ କରିଥାଏ।
ଶ୍ରୀ ଟି ଜି କାନେକର ନାଟ୍ୟ ଉତ୍ସାହୀ ଶିଶୁ କଳାକାରମାନଙ୍କୁ ଏଭଳି ସୁଯୋଗର ସଦୁପଯୋଗ କରିବାକୁ ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏପରି କର୍ମଶାଳାରେ ସାମିଲ ହେବା ଯେ କେବଳ ଜଣଙ୍କ ଜୀବନାଦର୍ଶକୁ ସମୃଦ୍ଧ କରେ ତା ନୁହେଁ ବରଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।
ଏହି କ୍ରମରେ ପ୍ରଫେସର ମୁଦାଲି ଆରଏସପିର ନାଟ୍ୟ ସଂସ୍କୃତି ସହ ଦୀର୍ଘଦିନର ସମ୍ପର୍କ ତଥା ଏହାର ପ୍ରୋତ୍ସାହନ ପାଇଁ ନିରନ୍ତର ପ୍ରୟାସର ପ୍ରଶଂସା କରିଥିଲେ। ସେ ପିଲାମାନଙ୍କ ପାଇଁ ଆୟୋଜିତ ଏପରି କର୍ମଶାଳା ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା ପ୍ରତିପାଦନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ସୃଜନଶୀଳ ଚିନ୍ତାଧାରା, ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ କରିବା ଓ ଜୀବନରେ ଶୃଙ୍ଖଳା, ସହଯୋଗ ଏବଂ ସାମାଜିକ ସହାନୁଭୂତି ଭଳି ମୌଳିକ ମୂଲ୍ୟବୋଧକୁ ମଧ୍ୟ ପ୍ରୋତ୍ସାହିତ କରେ ବୋଲି କହି ଥିଲେ।
ଶ୍ରୀ ରାଜୀବ ପାଣି ନିଜର ମନ୍ତବ୍ୟରେ କହିଥିଲେ ଯେ, ଏହି ଶିଶୁ କର୍ମଶାଳାର ଶୁଭାରମ୍ଭ ନାଟ୍ୟ ସମ୍ପ୍ରଦାୟକୁ ମଜବୁତ ଏବଂ ବିସ୍ତାରିତ କରିଛି। ସେ ନାଟକ ଅଭିବ୍ୟକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ବର୍ଣ୍ଣନା କରିଥିଲେ – ଯାହା ନାଟକ ର ଆଭିମୁଖ୍ୟ ଏବଂ ସୃଜନଶୀଳ ଚିନ୍ତାଧାରା ଉଭୟକୁ ପ୍ରୋତ୍ସାହିତ କରି ଭାବନାକୁ ପରିମାର୍ଜିତ କରିଥାଏ ।
ଏହି ଅବସରରେ ଜଗନ୍ନାଥ ସେଠ୍ କର୍ମଶାଳା ଆୟୋଜନରେ ମିଳିଥିବା ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଅଣ-ପାରମ୍ପରିକ କ୍ଷେତ୍ରରେ ସଫଳ କ୍ୟାରିଅର ପାଇଁ ପଥ ପ୍ରଶସ୍ତ କରିବାରେ ନାଟ୍ୟ ବିଦ୍ୟାଳୟଗୁଡ଼ିକର ବର୍ଦ୍ଧିତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମଟି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର କର୍ମଶାଳାର ନିର୍ଦ୍ଦେଶକଙ୍କ ସହିତ ସହ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପାଢୀ, ସୁଶ୍ରୀ ସୁଦେଷ୍ଣା ରାଣୀ ରାଉତ, ଏବଂ ସହ ସଞ୍ଜୋଜିକା ସୁଶ୍ରୀ ସସ୍ମିତା ବେକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଏହି କର୍ମଶାଳା ଜୁନ୍ ୧୦ ତାରିଖରେ ସିଭିକ୍ ସେଣ୍ଟର ଠାରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଏକ ନାଟକ ପ୍ରଦର୍ଶନ ସହିତ କର୍ମଶାଳା ଉଦଯାପିତ ହେବ ।
ପ୍ରାରମ୍ଭରେ ଭାସ୍କର ମହାପାତ୍ର ସମାବେଶକୁ ସ୍ୱାଗତ କରିବା ସହିତ ପିଲା ମାନଙ୍କ ମଧ୍ୟ ରେ ଉତ୍ସାହ ଭରି ଦେଇଥିଲେ । ପରିଶେଷରେ ଶ୍ରୀମତୀ ଅର୍ଚ୍ଚନା ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଲୋକସମ୍ପର୍କ ବିଭାଗର ଉପପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକ ଉଦଘାଟନୀ ଉତ୍ସବ ସଂଯୋଜନା କରିଥିଲେ।

Leave A Reply

Your email address will not be published.