ବଣାଇ : ୧୦/୧ (ସତ୍ୟାନ୍ୟୁଜ) ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ପୁଣି ରାସ୍ତା ଅବରୋଧ କରିବା ସହ ବନ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ। ହାତୀ ଘଉଡାଇବାରେ ବନବିଭାଗର ଅପାରଗତାକୁ ଦାୟୀ କରି ଏପରି ଚରମ ପଦକ୍ଷେପ ନେଇଛନ୍ତି ବଣାଇ ଉପଖଣ୍ଡର ଜକେଇକଲା ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଜକେଇକଲା ଗ୍ରାମରେ ଦୁଇଟି ଦନ୍ତା ହାତୀ ଗତ କିଛି ଦିନ ହେଲା ଉପଦ୍ରବ ଚଳାଇ ଆସୁଛନ୍ତି। ରାତିରେ ଗାଁ ରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଦିନରେ ମଧ୍ୟ ଗାଁକୁ ପଶି ଆସୁଛନ୍ତି। ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ରାତିରେ ଜକେଇକଲା ଗ୍ରାମର ରଙ୍ଗାମାଟିଆ ସାହିରେ ଦୁଇଟି ଦନ୍ତା ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ଘର ଭାଙ୍ଗି ଦେଇଛନ୍ତି। ଦୁଇ ଦିନ ତଳେ ଖାଦ୍ୟ ଅନ୍ୱେଷଣରେ ହାତୀ ଗାଁରେ ପଶି ଘର ଭାଙ୍ଗି ଦେଇଥିଲେ। ଗତକାଲି ଲୋକମାନେ ରାସ୍ତା ଅବରୋଧ କରିବା ସହ ବନ ଅଧିକାରୀଙ୍କୁ ଅଟକ ରଖିଥିଲେ। ପୁଣି ଗତକାଲି ରାତିରେ ହାତୀ ପଶି ଘର ଭାଙ୍ଗି ଥିବାରୁ ଉତ୍ୟକ୍ତ ଲୋକ ମାନେ ରାସ୍ତା ଅବରୋଧ କରିବା ସହ ଫରେଷ୍ଟର , ରେଞ୍ଜର , ଏସିଏଫ୍ ଙ୍କୁ ଅଟକ ରଖିଛନ୍ତି।
ଆମ୍ବୁଲାନ୍ସ ଓ ସ୍କୁଲ ଭ୍ୟାନ ଏବଂ ଅନ୍ୟାନ୍ୟ ଜରୁରୀ କାଳୀନ ଗାଡ଼ିକୁ ଛାଡ଼ି ଅନ୍ୟ ଯାନକୁ ଛାଡୁ ନାହାନ୍ତି। ବନ ବିଭାଗ ଯଥାଶୀଘ୍ର ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ଦାବି ହୋଇଛି।