ପ୍ରଶାସନ ଶୁଣିଲାନି, ନିଜ ପରିଶ୍ରମରେ ନିଜ ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ
୪ କିଲୋମିଟର ପଥୁରିଆ ରାସ୍ତାରେ ଯାତାୟାତ ଥିଲା କଷ୍ଟକର; ବାରମ୍ବାର ନିବେଦନ ପରେ ବି ନ ଶୁଣିବାରୁ ଏକାଠି ହୋଇ ରାସ୍ତା ନିର୍ମାଣ କଲେ ଗାଁ ଲୋକେ
ଲହୁଣୀପଡ଼ା, ନଭେମ୍ବର ୨ (ସତ୍ୟାନ୍ୟୁଜ): ପ୍ରଶାସନକୁ ବାରମ୍ବାର ଗୁହାରି କଲେ। ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକିଗଲେ। ହେଲେ ମିଳିଲାନି ସୁଫଳ। ଶେଷରେ ନିଜ ଗାଁର ରାସ୍ତା ନିଜେ ତିଆରି କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏକତା, ସହଯୋଗ ଓ ନିଜ ପରିଶ୍ରମ ବଳରେ ପଥୁରିଆ ରାସ୍ତାକୁ ଚଳପ୍ରଚଳ ଉପଯୋଗୀ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ତାଳବାହାଲି ପଞ୍ଚାୟତ ଅନ୍ତର୍ଗତ ନଡ଼ିଆଡିହି ଗ୍ରାମର। ଗାଁକୁ ଯିବା ପାଇଁ ଥିବା ପ୍ରାୟ ୪ କିଲୋମିଟର ରାସ୍ତା ପଥରରେ ଭର୍ତ୍ତି ଥିଲା। ଚାଲିକି ଯିବା ମଧ୍ୟ କଷ୍ଟକର ଥିବାବେଳେ ସାଇକେଲ କିମ୍ବା ମୋଟରସାଇକେଲ ନେବା ଥିଲା ବଡ଼ ଚ୍ୟାଲେଞ୍ଜ। ବଡ଼ ଗାଡ଼ି ତ ଦୂରର କଥା, ଆମ୍ବୁଲାନ୍ସ ମଧ୍ୟ ଇଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଯାଉଥିଲା।
ବିଶେଷ କରି ରୋଗୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହି ରାସ୍ତା ଥିଲା ଏକ ବଡ଼ ସମସ୍ୟା। ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଅନେକ ହଇରାଣ ହେବାକୁ ପଡ଼ୁଥିଲା। ଏହି ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇଁ ଯିବାକୁ ପଡ଼ୁଥିଲା ଗ୍ରାମବାସୀଙ୍କୁ।
ଗାଁର ଏହି ଦୁର୍ଦ୍ଦଶା ଦୂର କରିବାକୁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ। କିନ୍ତୁ ରାସ୍ତା ନିର୍ମାଣ ଦିଗରେ କୌଣସି ସୁଫଳ ନମିଳିବାରୁ ଶେଷରେ ନିରାଶ ହୋଇ ନିଜେ ଆଗକୁ ଆସିଲେ। ସମସ୍ତେ ଏକାଠି ହୋଇ ନିଜ ଶ୍ରମ ଓ ସହଯୋଗରେ ରାସ୍ତାରେ ମାଟି ପକାଇ ଏହାକୁ ଚଳପ୍ରଚଳ ଉପଯୋଗୀ କରିବାରେ ଲାଗିପଡ଼ିଲେ।
ପ୍ରଶାସନର ସହଯୋଗ ନମିଳିଲେ ମଧ୍ୟ ନିଜ ଗାଁର ସମସ୍ୟା ସମାଧାନ ପାଇଁ ଗ୍ରାମବାସୀଙ୍କ ଏହି ସାମୂହିକ ପ୍ରୟାସ ଆଜି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ତେବେ ଗ୍ରାମବାସୀଙ୍କ ଏହି ପରିଶ୍ରମକୁ ସ୍ଥାୟୀ ରାସ୍ତାର ରୂପ ଦେବା ସହ ଗାଁକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଯୋଗାଇଦେବା ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଏବେ ବଡ଼ ପ୍ରଶ୍ନ।