ସୁନ୍ଦରଗଡ଼ : ବିଜେଡି ର ଅର୍ଥନୈତିକ ଅବରୋଧ।। ଅଟକିଛି ୧୦ ହଜାର ଗାଡ଼ି।। ଏମ୍ ଏମ୍ ଡି ଆର ଆଇନ୍ କୁ ବିରୋଧ କରି ରଣ ହୁଙ୍କାର।
ଏମଏମଡିଆର ଆଇନ ସଂଶୋଧନକୁ ବିରୋଧ କରି ବିଜେଡିର ରଣହୁଂକାର।
ସୁନ୍ଦରଗଡ଼ : ୭/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ହେମଗିର କୋଇଲା ଖଣି ଅଞ୍ଚଳରେ ବିଜେଡି ପକ୍ଷରୁ ଆଜି କରାଯାଇଛି ଅର୍ଥନୈତିକ ଅବରୋଧ।
ସୁନ୍ଦରଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଯୋଗେଶ କୁମାର ସିଂହଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନ ଯୋଗୁଁ ଖଣି ଅଞ୍ଚଳରେ ଭାରୀଯାନ ଚଳାଚଳ ପ୍ରଭାବିତ ହୋଇଛି। ପ୍ରାୟ ୧୦ ହଜାର ଭାରୀଯାନ ରାସ୍ତାରେ ଅଟକି ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି।
ପ୍ରତିବାଦରେ ବିଜେଡିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଖଣି ନୀତି ଓ ଏମଏମଡିଆର ଆଇନ ସଂଶୋଧନକୁ ନେଇ ନେତାମାନେ ତୀବ୍ର ବିରୋଧ ପ୍ରକାଶ କରିଥିଲେ।
ବିଜେଡିର ଅଭିଯୋଗ, ଏହି ସଂଶୋଧନ ମାଧ୍ୟମରେ ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାରକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି।
ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ବ ଓ ରୟାଲ୍ଟି ରାଜ୍ୟର ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଓ ଖଣିପ୍ରଭାବିତ ଅଞ୍ଚଳର ବିକାଶରେ ବ୍ୟୟ ହେଉଥିବାରୁ ରାଜ୍ୟର ଅଧିକାର ସୁରକ୍ଷିତ ରହିବା ଆବଶ୍ୟକ ବୋଲି ଦଳ କହିଛି।
ଏମଏମଡିଆର ବିଲ୍ ପ୍ରତ୍ୟାହାର, ଓଡ଼ିଶାର ଖଣିଜ ଅଧିକାର ସୁରକ୍ଷା ଏବଂ ରାଜ୍ୟର ଆର୍ଥିକ ସ୍ବାର୍ଥ ରକ୍ଷା ଦାବିରେ ବିଜେଡି ଏହି ଆନ୍ଦୋଳନ କରିଛି।
ହେମଗିରରୁ ଆଜିର ଏହି ବଡ଼ ରାଜନୈତିକ ପ୍ରତିବାଦ ଏବେ ସୁନ୍ଦରଗଡ଼ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।