ରାଉରକେଲା : ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ଏବଂ ଶାନ୍ତି ପଦଯାତ୍ରା।। ପାନପୋଷ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ।
ରାଉରକେଲାରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ | ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ୱଚ୍ଛତା ଓ ଶାନ୍ତିର ବାର୍ତ୍ତା
ରାଉରକେଲା: ୨/୧୦
(ସତ୍ୟାନ୍ୟୁଜ) ଆଜି ଅକ୍ଟୋବର ୨ ତାରିଖ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ। ଏହି ଅବସରରେ ରାଉରକେଲାର ପାନପୋଷଠାରେ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ କରିଥିଲେ। ସତ୍ୟ, ଅହିଂସା, ଶାନ୍ତି ଓ ଜାତୀୟ ଏକତାର ମହାନ ଆଦର୍ଶକୁ ମନେ ପକାଇ ତାଙ୍କ ନୀତି ଓ ଆଦର୍ଶକୁ ଜୀବନରେ ଅନୁସରଣ କରିବାର ବାର୍ତ୍ତା ଦିଆଯାଇଥିଲା।
ଅନ୍ୟପକ୍ଷରେ, ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ଦିବସ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ସ୍ୱଚ୍ଛତା ପଦଯାତ୍ରା ସହ ଶାନ୍ତି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏହି ପଦଯାତ୍ରା ଆରମ୍ଭ ହୋଇ ପାନପୋଷ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ମହାନଗର ନିଗମର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ସ୍ୱଚ୍ଛତା, ଶାନ୍ତି ଓ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ଦେଇଥିଲେ।
ଏହି ଅବସରରେ ଆରଏମସି ପକ୍ଷରୁ ପୂର୍ବରୁ ଆୟୋଜିତ ‘ସ୍ୱଚ୍ଛତାରୁ ସମୃଦ୍ଧି’ କାର୍ଯ୍ୟକ୍ରମର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।
ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସହ ସ୍ୱଚ୍ଛତା, ଶାନ୍ତି, ସଦ୍ଭାବନା ଓ ନାଗରିକ ଦାୟିତ୍ୱବୋଧର ବାର୍ତ୍ତା ନେଇ ରାଉରକେଲାରେ ପାଳିତ ହୋଇଥିଲା ଗାନ୍ଧୀ ଜୟନ୍ତୀ।