ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ: ରାଉରକେଲା ପୁଲିସର ଏନକାଉଣ୍ଟର, ୨ ଅଭିଯୁକ୍ତ ଆହତ ଅବସ୍ଥାରେ ଗିରଫ
ରାଉରକେଲା, ୨୦ ଜୁନ (ସତ୍ୟାନ୍ୟୁଜ): ରାଉରକେଲାର ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଶୁକ୍ରବାର ଭୋର ସମୟରେ ଝିରପାଣି ଥାନା ଅଞ୍ଚଳରେ ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବାବେଳେ ଦୁଇ ଅଭିଯୁକ୍ତ ଗୁଳିବିଦ୍ଧ ହୋଇ ଗିରଫ ହୋଇଛନ୍ତି।
ଆହତ ଅଭିଯୁକ୍ତମାନେ ହେଲେ ଛୁନୁ ହରିପା ଓ ସୁଶାନ୍ତ ନାୟକ। ସେମାନଙ୍କ ଗୋଡ଼ରେ ପୁଲିସର ଗୁଳି ବାଜିଥିବା ସୂଚନା ମିଳିଛି।
ପୁଲିସ ସୂଚନା ଅନୁସାରେ, ଝିରପାଣି ଅଞ୍ଚଳରେ ଅଭିଯୁକ୍ତମାନେ ଲୁଚିଥିବା ଖବର ପାଇ ଚଢାଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଉଭୟ ଅଭିଯୁକ୍ତ ଆହତ ହୋଇଥିଲେ ଓ ସେମାନଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର ସେକ୍ଟର-୭ ଥାନା ଅନ୍ତର୍ଗତ ନାରାୟଣପାଲି ନିକଟରେ ତୋଫାନ ବିନ୍ଧାଣୀ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ୧୫ରୁ ୨୦ ଜଣ ଯୁବକ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।
ଘଟଣା ପରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ବସ୍ତିବାସୀମାନେ ସେକ୍ଟର-୭ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ରାଉରକେଲା ଏସ୍ପି ନୀତେଶ ୱାଧୱାନିଙ୍କ ନିର୍ଦ୍ଦେଶରେ ଡିଏସ୍ପି ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଚାରିଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ପିସ୍ତଲ ଜବତ ହୋଇଥିବାବେଳେ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ ଜାରି ରହିଛି।