ରାଉରକେଲା : ୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର କେତେକ ଅଞ୍ଚଳରେ ଏବେବି ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ ଜାରି ରହିଛି। ଆଜି ସକାଳେ କେ ବଳଙ୍ଗ ଥାନା ଅଞ୍ଚଳରେ ଏପରି ଏକ ହତ୍ୟାକାଣ୍ଡ ହୋଇଯାଇଛି। ଅତି ବୀଭତ୍ସ ଭାବେ ଅଜାଙ୍କୁ ଟାଙ୍ଗିଆରେ ହାଣିଦେଲା ପରେ ଅଜାର କଟା ମୁଣ୍ଡ ଧରି ଗାଁରେ ବୁଲୁଥିଲା ନାତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଗାଁରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି। ଗୁଣି ଗାରେଡ଼ି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।
ଗୁଣିଗାରେଡିକୁ ନେଇ ପୁରୁଣାପାଣି ଗାଁର ନଇମନ ମୁଣ୍ଡା ଓ ତାଙ୍କ ସମ୍ପର୍କୀୟ ନାତି ସଲ୍ମାନ ମୁଣ୍ଡାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ନଇମନଙ୍କ ଘରକୁ ଆସିଥିଲେ ସଲମାନ। ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଲମାନ୍ ମୁଣ୍ଡା ଏକ ଧାରୁଆ ଟାଙ୍ଗିଆରେ ଅଜା ନଇମନ୍ଙ୍କ ବେକରେ ଗୋଟିଏ ଚୋଟ ପକାଇଥିଲା। ଯାହାଫଳରେ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ନଇମନଙ୍କ ଚିତ୍କାର ଶୁଣି ଘର ପାଖକୁ ପଡ଼ୋଶୀ ଆସିଥିଲେ। ହେଲେ ସଲ୍ମାନ ରକ୍ତମୁଖା ହୋଇଥିବା ଦେଖି ତା’ ପାଖକୁ କେହି ପଶି ପାରିନଥିଲେ। ଭୟରେ ନିଜ ନିଜ ଘରେ କବାଟ କିଳି ରହିଥିଲେ।
ଅଜାକୁ ହାଣିବା ପରେ ମୁଣ୍ଡକୁ ଏକ ବ୍ୟାଗରେ ପୂରାଇ ଗାଁ ଦାଣ୍ଡରେ ବୁଲୁଥିଲା ସଲମାନ। ଗାଁ ଲୋକେ ଏନେଇ କେ.ବଲାଙ୍ଗ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଗାଁରେ ପହଞ୍ଚି ରକ୍ତମୁଖା ହୋଇ କଟା ମୁଣ୍ଡ ଧରି ବୁଲୁଥିବା ସଲମାନକୁ ଧରିଥିଲା। ପୁଲିସ୍ ତାକୁ ଅଟକ ରଖି ପଚରାଉଚରା କରୁଛି। ଗୁଣି ଗାରେଡିରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସନ୍ଦେହ କରୁଛି।