ରାଉରକେଲା : ରାଜ୍ୟରେ ବଢି ଚାଲିଛି ଭିଡ ହିଂସା।। ଛେଳି ଚୋର ସନ୍ଦେହରେ ୩ ଜଣଙ୍କୁ ନିସ୍ତୁକ ମାଡ।। ମାଡ଼ ଭୟରେ ଜଣେ ଡେଇଁ ପଡ଼ିଲେ ନଦୀକୁ।
ରାଜ୍ୟରେ ବଢ଼ୁଛି ଭିଡ଼ ହିଂସା, ସୁନ୍ଦରଗଡ଼ରେ ଛେଳି ଚୋରି ସନ୍ଦେହରେ ୩ ଯୁବକଙ୍କୁ ମାଡ଼; ଜଣେ ନିଖୋଜ
ରାଉରକେଲା, ୧୧/୭ (ସତ୍ୟାନ୍ୟୁଜ): ଓଡ଼ିଶାରେ ଭିଡ଼ ହିଂସା (Mob Violence) ଘଟଣାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ବାଲିଅନ୍ତା, ରାୟଗଡ଼ା ଓ ସମ୍ବଲପୁର ପରେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ଛେଳି ଚୋରି ସନ୍ଦେହରେ ତିନି ଜଣ ଯୁବକଙ୍କୁ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହିପରି ଅନ୍ୟ ଜଣେ ଯୁବକ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିବା ପରେ ନିଖୋଜ ଥିବାବେଳେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ରାଉରକେଲା ମାଲଗୋଦାମ ଓ ଲାଠିକଟା ଅଞ୍ଚଳର ଚାରି ଜଣ ଯୁବକ ଏକ କାରରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଦଜିଂ ଗାଁକୁ ଯାଇଥିଲେ। ସେଠାରେ ସେମାନେ ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଦେଖି ପିଛା କରିଥିବା ଅଭିଯୋଗ ହୋଇଛି।
ଯୁବକମାନେ କାରରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦଜିଂ ଗାଁର ଲୋକମାନେ ନିକଟସ୍ଥ କରମଡିହି ଗାଁକୁ ଫୋନ ଯୋଗେ ସୂଚନା ଦେଇଥିଲେ। ଏହି ସମୟରେ ଚାନ୍ଦିପୋଷ ପୋଲିସ ଏନଏଚ୍-୧୪୩ରେ ଯାନବାହନ ଯାଞ୍ଚ କରୁଥିଲା। ପୋଲିସକୁ ଏଡ଼ାଇବା ପାଇଁ କାରଟି କରମଡିହି ଗାଁ ଆଡ଼କୁ ଯାଇଥିବା ବେଳେ ଗ୍ରାମବାସୀଙ୍କୁ ଦେଖି ଚାରି ଯୁବକ କାର ଛାଡ଼ି ବ୍ରାହ୍ମଣୀ ନଦୀ ଆଡ଼କୁ ଦୌଡ଼ିଥିଲେ।
ଏହି ସମୟରେ ଜଣେ ଯୁବକ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିବା ବେଳେ ଅନ୍ୟ ତିନି ଜଣ ଗ୍ରାମବାସୀଙ୍କ କବଳରେ ପଡ଼ିଥିଲେ। ସେମାନଙ୍କୁ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଖବର ପାଇ ଚାନ୍ଦିପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।
ଅନ୍ୟପଟେ ନଦୀକୁ ଡେଇଁ ପଡ଼ିଥିବା ଯୁବକ ଏପର୍ଯ୍ୟନ୍ତ ନିଖୋଜ ଥିବାବେଳେ ତାଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚାନ୍ଦିପୋଷ ପୋଲିସ ଘଟଣାର ତଦନ୍ତ କରୁଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାର କିଛି ଅସାମାଜିକ ଯୁବକ ଏକ ଛେଳି ଚୋରି ରାକେଟ୍ ଚଳାଉଥିବା ସନ୍ଦେହ କରାଯାଉଛି। ଏହି ରାକେଟ୍ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଛେଳି ଚୋରି କରି ରାଉରକେଲା, ସୁନ୍ଦରଗଡ଼, ରାଜଗାଙ୍ଗପୁର ସମେତ ଅନ୍ୟ ସ୍ଥାନରେ ବିକ୍ରି କରୁଥିବା ନେଇ ପୋଲିସ ତଦନ୍ତ କରୁଛି। ଏହି ଘଟଣାରେ ସମ୍ପୃକ୍ତ କେତେକ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ମଧ୍ୟ ମାମଲା ରହିଥିବା ସୂଚନା ମିଳିଛି।
ଏହା ସହିତ, ଆଇନକୁ ହାତକୁ ନେଇ ଭିଡ଼ ହିଂସାରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ରାଜ୍ୟରେ କ୍ରମାଗତ ଭାବେ ଭିଡ଼ ହିଂସାର ଘଟଣା ସାମ୍ନାକୁ ଆସୁଥିବାରୁ ଆଇନଶୃଙ୍ଖଳା ଓ ସାଧାରଣ ଜନସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଉଛି। କୌଣସି ଅଭିଯୋଗ ଥିଲେ ଆଇନକୁ ନିଜ ହାତକୁ ନନେଇ ପୋଲିସକୁ ସୂଚନା ଦେବା ହିଁ ଉଚିତ ବୋଲି ଆଇନ ବିଶେଷଜ୍ଞ ଓ ସଚେତନ ମହଲରେ ମତ ପ୍ରକାଶ ପାଉଛି।