ବଣାଇ : ଗଞ୍ଜେଇ , ଅଫିମ ଚାଷ ଉପରେ ନଜର।। ଡ୍ରୋନ୍ ସାହାଯ୍ୟରେ ବନ ଵିଭାଗ କରୁଛି ଟ୍ରାକ୍।। ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟ।
ଡ୍ରୋନ୍ ନଜରରେ ବଣାଇ ଜଙ୍ଗଲ! ଗଞ୍ଜେଇ ଓ ଅଫିମ ଚାଷ ଖୋଜୁଛି ବନ ବିଭାଗ
ବଣାଇ, ନଭେମ୍ବର ୧୨ (ସତ୍ୟାନ୍ୟୁଜ): ବଣାଇ ଜଙ୍ଗଲ ଉପରେ ଏବେ ଡ୍ରୋନ୍ କ୍ୟାମେରାର କଡ଼ା ନଜର। ଘଞ୍ଚ ଜଙ୍ଗଲ ଭିତରେ ଲୁଚାଛପାରେ ଚାଲିଥିବା ବେଆଇନ ଗଞ୍ଜେଇ ଓ ଅଫିମ ଚାଷକୁ ଠାବ କରିବା ପାଇଁ ଅଣ୍ଟା ଭିଡ଼ିଛି ବନ ବିଭାଗ। ଜଙ୍ଗଲର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇ ଆକାଶମାର୍ଗରୁ ଚାଲିଛି ନିରୀକ୍ଷଣ। ଏହି ଅଭିଯାନକୁ ନେଇ ବେଆଇନ ନିଶାଦ୍ରବ୍ୟ ଚାଷ କରୁଥିବା ମାଫିଆଙ୍କ ମଧ୍ୟରେ ଛନକା ପଶିଛି।
ବଣାଇ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଓ ଦୁର୍ଗମ ଜଙ୍ଗଲରେ ବେଆଇନ ନିଶାଦ୍ରବ୍ୟ ଚାଷ ହେଉଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଲହୁଣିପଡ଼ା, ଗୁରୁଣ୍ଡିଆ ଓ କୋଇଡ଼ା ବ୍ଲକ ଅଞ୍ଚଳରେ ଅଫିମ ଚାଷ ଠାବ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ବନ ବିଭାଗ ସହ ପୋଲିସ ଓ ଅବକାରୀ ବିଭାଗର ତତ୍ପରତା ବଢ଼ିଛି।
ସୂଚନା ଅନୁସାରେ, ବାହାର ରାଜ୍ୟରୁ କିଛି ମାଫିଆ ଏହି ଅଞ୍ଚଳକୁ ଆସି ସ୍ଥାନୀୟ ଲୋକଙ୍କୁ ବେଆଇନ ନିଶାଦ୍ରବ୍ୟ ଚାଷ ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ମିଳିବା ପରେ ବନ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ବଣାଇ ଡିଏଫଓ ଯଶବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଡ୍ରୋନ୍ ସହାୟତାରେ ଜଙ୍ଗଲର ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଉଛି।
ଏହି ଅଭିଯାନରେ ବଣାଇ ବନଖଣ୍ଡର ସାତଟି ରେଞ୍ଜ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ଡ୍ରୋନ୍ ଉଡ଼ାଇ ସନ୍ଦିଗ୍ଧ ଚାଷ ଜମି ଚିହ୍ନଟ କରାଯାଉଛି। କିଛି ସ୍ଥାନ ବନ ବିଭାଗର ନଜରକୁ ମଧ୍ୟ ଆସିଥିବା ଜଣାପଡ଼ିଛି। ଏନେଇ ଡ୍ରୋନ୍ ଚାଳକ ସିଦ୍ଧାର୍ଥ ସାହୁ ଓ ବଣାଇ ରେଞ୍ଜର ଦେବାଶିଷ ନାୟକ ନିଜ ଅନୁଭୂତି ଓ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି।
ବନ ବିଭାଗର ଏହି ପଦକ୍ଷେପ ଦ୍ୱାରା ଜଙ୍ଗଲ ଭିତରେ ଲୁଚି ରହିଥିବା ବେଆଇନ ଚାଷକୁ ଠାବ କରିବା ସହ ଏହା ପଛରେ ଥିବା ମାଫିଆଙ୍କ ନେଟୱର୍କର ପର୍ଦ୍ଦାଫାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି କାରବାରରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବନ ବିଭାଗ ଓ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥା ପାଇଁ ଏବେ ବଡ଼ ଆହ୍ୱାନ।