ସୁନ୍ଦରଗଡ଼:୨୪/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଶ୍ରାଦ୍ଧ ଭୋଜି ଖାଇବା ପରେ ଖାଦ୍ୟରେ ବିଷକ୍ରିୟା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଓ ଜଣେ ୧୧ ବର୍ଷର ନାବାଳିକା ମଧ୍ୟ ଅଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ନୂଆଡିହି ଗାଁରେ ଏହି ଅଭାବନୀୟ ଅଘଟଣ ଘଟିଛି। ସୂଚନା ଅନୁସାରେ ଗାଁରେ ଆୟୋଜିତ ଏକ ଦଶାହ ବା ଶ୍ରାଦ୍ଧ ଭୋଜିରେ ଲୋକେ ଖାଦ୍ୟ ଗ୍ରହଣ କରିଥିଲେ। କିନ୍ତୁ ଭୋଜି ଖାଇବାର କିଛି ସମୟ ପରେ ଲୋକଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ିବାକୁ ଲାଗିଥିଲା। ବାନ୍ତି, ପେଟ କାଟିବା ଓ ଅସୁସ୍ଥତାର ଲକ୍ଷଣ ଦେଖାଯାଇଥିଲା।
ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ମୃତକ ହେଲେ ନୂଆଡିହି ଗାଁର ମଙ୍ଗଳ ସାଇ ନାଏକ ଓ ହେମଗିରିର ରଇବାରି ପ୍ରଧାନ। ସେହିପରି ଝାରସୁଗୁଡ଼ା ଜିଲ୍ଲାର ସୁନାଖାଏନ ଗାଁର ଉଲ୍ଲାସ ଖଡ଼ିଆ ଓ ସୁକାନ୍ତି ଖଡ଼ିଆଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ଖାଦ୍ୟ ବିଷକ୍ରିୟା ଯୋଗୁଁ ଏହି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ ପ୍ରାୟ ୧୭ ଜଣ ଅସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କୁ ହେମଗିରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ାର ୪ ଜଣ ଗୁରୁତର ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଓ ଜଣେ ୧୧ ବର୍ଷର ନାବାଳିକା ଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି।
ଘଟଣାର ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ନୂଆଡିହି ଗାଁରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଖାଦ୍ୟର ନମୁନା ସଂଗ୍ରହ କରାଯାଇଥିବା ବେଳେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ତଦନ୍ତ ଜାରି ରହିଛି।
ଶ୍ରାଦ୍ଧ ଭୋଜି ଭଳି ଏକ ସାମାଜିକ କାର୍ଯ୍ୟକ୍ରମ ଏଭଳି ଭାବେ ମୃତ୍ୟୁର କାରଣ ପାଲଟିଯିବା ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ତଦନ୍ତ ରିପୋର୍ଟ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ।